ମହାରାଷ୍ଟ୍ର (ଏଟିଆର ବ୍ୟୁରୋ): ଆସନ୍ତାକାଲି ଠାରୁ ବନ୍ଦ ହୋଇପାରେ ଶିରିଡିର ସାଇବାବା ମନ୍ଦିର । ମହାରାଷ୍ଟ୍ର ସରକାର ପରଭଣୀ ଜିଲ୍ଲାର ପାଥରୀ ଗାଁକୁ ସାଇବାବାଙ୍କ ଜନ୍ମ ସ୍ଥାନ ଭାବେ ଘୋଷଣା କରିବା ପରେ ଏହି ବିବାଦ ମୁଣ୍ଡ ଟେକିଛି । ଏହି ଗାଁର ବିକାଶ ପାଇଁ ମହାରାଷ୍ଟ୍ର ସରକାର ୧୦୦ କୋଟି ଟଙ୍କା ଘୋଷଣା କରିବା ପରେ ଏବେ ସାଇବାବା ମନ୍ଦିରକୁ ନେଇ ବିବାଦ ଘନେଇବାରେ ଲାଗିଛି । ଏମିତିକି ସରକାରଙ୍କ ଏହି ଘୋଷଣାକୁ ଜୋରଦାର ବିରୋଧ କରିଛନ୍ତି ଶିରିଡି ଗ୍ରାମବାସୀ ।
ସେମାନଙ୍କ କହିବାନୁଯାୟୀ ସାଇବାବାଙ୍କ ଧର୍ମ ଏବଂ ତାଙ୍କ ଜନ୍ମସ୍ଥାନକୁ ନେଇ କୌଣସି ସଠିକ୍ ପ୍ରମାଣ ନାହିଁ । ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଉପୁଜିଥିବା ବିବାଦ ଏହା ପ୍ରଥମ ଥର ହୋଇନାହିଁ । ଏହାପୂର୍ବରୁ ବି ଏନେଇ ବିବାଦ ଉପୁଜିଛି । ଇତିମଧ୍ୟରେ ରବିବାରଠାରୁ ମନ୍ଦିର ଅନିଶ୍ଚିତକାଳ ପାଇଁ ବନ୍ଦ ହେବାର ଆଶଙ୍କା କରାଯାଉଛି। ଅହମଦନଗରର ବିଜେପି ସାଂସଦ ସୁଜୟ ଭିଖେ ପାଟିଲ ଏଥିନେଇ ଆଇନଗତ ଲଢ଼େଇ ପାଇଁ ଚେତାବନୀ ଦେବା ସହ ୧୯ ତାରିଖରେ ଶିରିଡ଼ି ବନ୍ଦ ଡାକରା ଦେଇଛନ୍ତି।