ଆସାମ (ଏଟିଆର ବ୍ୟୁରୋ):ଘନଘନ ବର୍ଷା ଯୋଗୁଁ ଆସାମରେ ବନ୍ୟା ପରିସ୍ଥିତି । ଆସାମରେ ବନ୍ୟା ସ୍ଥିତି ଏବେ ଭୟଙ୍କର ରୂପ ନେଇଛି । ରାଜ୍ୟର ପ୍ରାୟ ୫ ଶହ ଗ୍ରାମ ସଂପୂର୍ଣ୍ଣ ପାଣି ଘେରରେ ରହିଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ରାଜ୍ୟର ୩୩ଜିଲ୍ଲାରୁ ୨୧ ଜିଲ୍ଲାରେ ପ୍ରାୟ ୮.୭ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସମସ୍ତ ନଦୀରେ ଜଳସ୍ତର ବିପଦସଙ୍କେତ ଟପି ପ୍ରବାହିତ ହେଉଛି। ଆସାମ ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଏକ ରିପୋର୍ଟ ଅନୁଯାୟୀ ୨୧ ଜିଲ୍ଲାର ୧୫୫୬ ଗ୍ରାମରେ ୮.୬୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।
ଲଗାତାର ବର୍ଷା ହେବା ଫଳରେ ଆସାମ ଓ ତ୍ରିପୁରା ମଧ୍ୟରେ ରେଳ ଚଳାଚଳକୁ ବନ୍ଦ କରିଦିଆଯାଇଛି ଜ୍ଝ ଆସାମର ଜୋରହାଟ, ଦିବ୍ରୁଗଡ କୋକରାଝର, ସୋନିତପୁର ଅଞ୍ଚଳ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ପାଖାପାଖି ୮୦୦ ଗାଁରେ ପାଣି ପଶିଯାଇଛି । ୫୩ଟି ବନ୍ୟା ଆଶ୍ରୟସ୍ଥଳୀର ରହିବାକୁ ସରକାର ବ୍ୟବସ୍ଥା କରିଛନ୍ତି । ବନ୍ୟା ହେତୁ ୨୭,୮୬୪ ହେକ୍ଟର ଚାଷଜମି ମଧ୍ୟ ପ୍ରଭାବିତ ହୋଇଛି। ଗୋଲାଘାଟ ଏବଂ ଦିମା ହାସାଓ ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବୋକାଖାଟ ରେଭିନ୍ୟୁ ସର୍କଲ୍ରେ ୨ ଜଣଙ୍କ ମୃତ୍ୟୁ ହୋଇଛି।
ସେହିପରି ଦିମା ହସାଓ ଜିଲ୍ଲାର ହାଫଲଙ୍ଗ୍ରେ ଭୂସ୍ଖଳନ ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଛି। ସେନା, ଏନ୍ଡିଆରଏଫ୍ ଏବଂ ଏସ୍ଡିଆରଏଫ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ବର୍ତ୍ତମାନ ସୁଧା ରାଜ୍ୟରେ ୧୧୬୦ ଲୋକଙ୍କୁ ବନ୍ୟା ପ୍ରବଣ ଅଞ୍ଚଳରୁ ଉଦ୍ଧାର କରାଯାଇଛି।