ବିହାର ( ଏଟିଆର ବ୍ୟୁରୋ): ବିହାରରେ ଏବେ ଚମକି ଜର ଲାଗି ରହିଛି । ଯାହା ପ୍ରଭାବରେ ସେଠାରେ ଶିଶୁ ମାନଙ୍କ ମୃତ୍ୟୁ ଦେଖିବାକୁ ମିଳୁଛି । ପ୍ରତିଦିନ ସେଠାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସରକାରୀ ହିସାବରେ ମୃତ୍ୟୁ ସଂଖ୍ୟା ୧୫୦ ଟପି ଗଲାଣି । ହେଲେ ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ହତବାକ କରି ଦେଇଛି । ମୁଜାଫରପୁରର ଯେଉଁ ଡାକ୍ତରଖାନାରୁ ଖବର ଆସୁଛି ଚମକି ଜରରେ ଲଗାତର ମୃତ୍ୟୁ ସଂଖ୍ୟା ବଡୁଛି ସେହି ଡାକ୍ତର ଖାନା ପାଖରୁ ଠାବ ହୋଇଛିି ୧୦୦ ମାନବ କଙ୍କାଳ ଏବଂ ଶବ । ଯାହାକୁ ନେଇ ଆଖପାଖ ଇଲାକାରେ ଏବେ ଆତଙ୍କ ଦେଖା ଦେଇଛି ।
ସୂଚନା ଅନୁସାରେ ମୁଜାଫରପୁର ଶ୍ରୀକୃଷ୍ଣା ମେଡିକାଲ କଲେଜ ପଛ ପାଖରେ ଥିବା ଜଙ୍ଗଲରୁ ୧୦୦ ଟି ମଣିଷ କଙ୍କାଳ ଓ ଶବ ଠାବ ହୋଇଛି । ଘଟଣାକୁ ନେଇ ବିହାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅଧିକ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ଏହି ଭିତରେ ସେଠାରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଘଟଣାକୁ ନେଇ ଡାକ୍ତରଖାନା ପ୍ରଶାସନ କହିଛି କି ଏସବୁ ପୋଷ୍ଟ ମର୍ଟମ ଶବ ହୋଇଥାଇ ପାରେ ।
ଡାକ୍ତରଖାନା ପଛ ପଟରେ ଥିବା ଜମି ବନ ବିଭାଗ ଅଧିନରେ ରହିଛି । ଯେଉଁଠି ଅଚିହ୍ନା ଶବକୁ ପୋଡା ଯାଇଥାଏ । ତେବେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି ଏତେ ମାତ୍ରାରେ ଶବ ସେଠାକୁ ଆସିଲା କେମିତି ? ଡାକ୍ତର ଖାନାରେ ମୃତ୍ୟୁ ହେଉଥିବା ଅଚିହ୍ନା ଶବକୁ ଫୋପାଡିବା ଏକ ଧର୍ତ୍ତବ୍ୟ ଅପରାଧ । ଆଇନ ଅନୁସାରେ ଅଚିହ୍ନା ଶବକୁ ପୋଡା ଯାଇଥାଏ । ତେବେ ଏମିତି ଅପରାଧ ହେଲା କେମିତି ? ଏଥି ପାଇଁ ଦାୟୀ କିଏ? ଏବେ ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇ ଯାଇଛି ।