ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରେଲୱେ ଏବଂ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀଙ୍କ ପାଇଁ ଖୁସୀ ଖବର । ଭାରତୀୟ ରେଲୱେ ଏବଂ ଘରୋଇ ଏୟାରଲାଇନ୍ସ କମ୍ପାନୀ ଯାତ୍ରୀଙ୍କ ପାଇଁ ଏପ୍ରିଲ ୧୪ ପରେ ଟିକେଟ ବୁକ୍ କରିବା ଆରମ୍ଭ କରିଦେଇଛନ୍ତି ।
ଦେଶବ୍ୟାପି ୨୧ ଦିନିଆ ଲକ୍ ଡାଉନ୍ ଆହରି ବୃଦ୍ଧି କରାଯିବ ବୋଲି ଲୋକଙ୍କ ମଧ୍ୟରେ ଭ୍ରମ ରହିଥିଲା । ଯାହାକୁ ନେଇ କ୍ୟାବିନେଟ୍ ସଚିବ କହିଥିଲେ କି ୨୧ ଦିନିଆ ଲକ୍ ଡାଉନ୍ ଅବଧିକୁ ବଢାଇବାର ସରକାରଙ୍କର କୌଣସି ଯୋଜନା ନାହିଁ । ଏହାପରେ ଭାରତୀୟ ରେଲୱେ ଏବଂ ଏୟାରଲାଇନ୍ସ କମ୍ପାନୀ ଏପ୍ରିଲ ୧୪ ପରେ ଟିକେଟ ବୁକିଂ କରିବା ଆରମ୍ଭ କରିଛନ୍ତି ।
ଏନେଇ ପଶ୍ଚିମ ରେଲୱେର ପିଆରଓ ପ୍ରଦୀପ ଶର୍ମା କହିଛନ୍ତି କି, ଭାରତୀୟ ରେଲୱେ ଏପ୍ରିଲ ୧୪ ପରେ ରେଲ ଯାତ୍ରୀଙ୍କ ପାଇଁ ଟିକେଟ୍ ବୁକ୍ କରିବା ଆରମ୍ଭ କରିଦେଇଛି ।
ସେହିଅନୁଯାୟୀ ଆଇଆରସିଟିସି ର ଆପ୍ ଏବଂ ୱେବସାଇଟରେ ଏପ୍ରିଲ ୧୫ ଠାରୁ ଟିକେଟ ଉପଲବ୍ଧ ଅଛି । ବର୍ତ୍ତମାନ ଷ୍ଟେସନରେ ଟିକେଟ ବୁକ୍ କରାଯିବ ନାହିଁ । ଅନ୍ୟପଟେ ଏୟାରଲାଇନ୍ସ କମ୍ପାନୀ ବି ଏପ୍ରିଲ ୧୫ ରୁ ବୁକିଂ ଆରମ୍ଭ କରିଦେବ । ଏଥିପାଇଁ ଅନଲାଇନ୍ ଟିକେଟ ବୁକିଂ କରିବାକୁ ପଡିବ ।