ଗୁଜୁରାଟ (ଏଟିଆର ବ୍ୟୁରୋ ) ; ଆଜି ଉନ୍ମୋଚିତ ହେଲା ବିଶ୍ୱର ସବୁଠୁ ଉଚ୍ଚତମ ପ୍ରତିମୂର୍ତ୍ତୀ । ଲୌହ ମାନବ ସର୍ଦ୍ଧାର ବଲ୍ଲବ ଭାଇ ପଟେଲଙ୍କ ଜନ୍ମତିଥୀରେ ଏହି ପ୍ରତିମାର ଲୋକାର୍ପଣ କରାଯାଇଛି । ଗୁଜୁରାଟର ରାଜପିପଲା ନିକଟ ସାଧୁବେତ ଦ୍ୱୀପ ନର୍ମଦା ନଦୀରେ ଏହି ବିରାଟ ପ୍ରତିମୂର୍ତ୍ତୀ କୁ ନିର୍ମାଣ କରାଯାଇଛି । ବିନ୍ଧ୍ୟ ଓ ସତରୁପା ପର୍ବତମାଳାର ମଧ୍ୟବର୍ତ୍ତୀ ଅଂଚଳରେ ଏହି ପ୍ରତିମା ନିର୍ମାଣ ହୋଇଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ସ୍ଥାନକୁ ପର୍ଯ୍ୟଟକମାନେ ଆକୃଷ୍ଠ ହେବେ ବୋଲି ଆଶା କରାଯାଇଛି ।
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ସର୍ଦ୍ଧାର ପଟେଲଙ୍କ ବିରାଟ ପ୍ରତିମୂର୍ତ୍ତୀ ନିର୍ମାଣ କରିବା ଥିଲା ତାଙ୍କ ସ୍ୱପ୍ନ । ସେ ୨୦୧୦ ରେ ଲୌହମାନବଙ୍କ ଏକ ପ୍ରତିମୂର୍ତ୍ତୀ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ । ଏହାପରେ ଗୁଜୁରାଟ ସରକାର ଓ ବିଜେପି ପକ୍ଷରୁ ଏହାକୁ ନିର୍ମାଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ତେବେ ୨୦୧୪ ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଏହି ପ୍ରକଳ୍ପକୁ ସେ ତ୍ୱରାନ୍ୱିତ କରିଥିଲେ । ଶେଷରେ ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୁର୍ଣ୍ଣ ହୋଇଯାଇଛି ।
ଏହି ପ୍ରତିମୂର୍ତ୍ତୀ ନିର୍ମାଣ ଲାଗି ୫୭ ଲକ୍ଷ କିଲୋ ଷ୍ଟକଚରାଲ ଷ୍ଟିଲ ବ୍ୟବହାର କରାଯାଇଛି । ଏଥିରେ ୧୮ ହଜାର ୫ ଶହ ମେଟ୍ରିକଟନ ଲୁହାଛଡ ଲାଗିଥିବା ବେଳେ ଏହା ସହ ୧ ହଜାର ୭ ଶହଟନ ତମ୍ବା , ୧ ଲକ୍ଷ ୮୦ ହଜାର ଟନ କଂକ୍ରିଟ ଲାଗିଛି । ସେହିପରି ୨ କୋଟି ୫୦ ଲକ୍ଷ କିଲୋ ସିମେଣ୍ଟ ନିର୍ମାଣ ପାଇଁ ବ୍ୟବହାର କରାଯାଇଛି । ଲୌହ ମାନବଙ୍କ ପ୍ରତିମୂର୍ତ୍ତୀ ୬.୫ ତୀବ୍ରତାର ଭୂମିକମ୍ପକୁ ସହିପାରିବ । ଏହାସହ ୧୮୦ କିଲୋମିଟର ବେଗର ପବନକୁ ମଧ୍ୟ ଏହା ପ୍ରତିହତ କରିପାରିବ ବୋଲି ଜଣାପଡିଛି ।
ତେବେ ପ୍ରତିମାର ୧୫୩ ମିଟର ପର୍ଯ୍ୟନ୍ତ ସାଧାରଣ ଲୋକମାନେ ଚଢିପାରିବେ ବୋଲି ସୂଚନା ମିଳିଛି । ଦୀର୍ଘ ୧୨ କିଲୋମିଟର ଦୂରରୁ ଏହି ପ୍ରତିମୂର୍ତ୍ତୀ ଦୃଶ୍ୟମାନ ହେଉଥିବା ବେଳେ ଏହାକୁ ଦେଖିବା ଲାଗି ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରତିମୂର୍ତ୍ତୀ କୁ ଉନ୍ମୋଚନ କରି ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ସାରା ବିଶ୍ୱର ନଜର ଏବେ ସର୍ଦ୍ଧାର ପଟେଲ ଙ୍କ ପ୍ରତିମୂର୍ତ୍ତୀ ଉପରେ ରହିଛି ।