ନୂଆଦିଲ୍ଲା (ଏଟିଆର ବ୍ୟୁରୋ): ସାରା ଦେଶରେ ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଅନ୍ୟପଟେ ସରକାର ସ୍ୱସ୍ଥ ଭାରତ ମିଶନର ମଧ୍ୟ ପ୍ରଚାର ଓ ପ୍ରସାର କରିବାରେ ଲାଗି ପଡିଛନ୍ତି । କିନ୍ତୁ ଦେଶରେ ଏବେ ବି ପ୍ଲାଷ୍ଟିକର ବହୁଳ ପରିମାଣରେ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ତେବେ ଯେଉଁଭଳି ଭାବରେ ନିର୍ବାଚନ ସମୟରେ ପ୍ଲାଟିକର ବ୍ୟବହାର ହୋଇଥିଲା ତାହାକୁ ନେଇ କେନ୍ଦ୍ର ଓ ନିର୍ବାଚନ ଆୟୋଗକୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି ।
ଏନେଇ ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ବିଶେଷ କରି ନିର୍ବାଚନ ପ୍ରଚାର ସମୟରେ ପୋଷ୍ଟର ଓ ହୋଡିଂର ବ୍ୟବହାରକୁ ନଜରେ ଦେଖି ଜବାବ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି । ନିର୍ବାଚନ ସମୟରେ ଯେଉଁଭଳି ଭାବରେ ପ୍ଲାଷ୍ଟିକର ବ୍ୟବହାର ହୋଇଥିଲା ତାହାକୁ ନେଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଛି । ପ୍ଲାଷ୍ଟିକ ବ୍ୟାନ ସତ୍ତେ୍ୱ ଯେଉଁଭଳି ଭାବରେ ଏହାର ବ୍ୟବହାର ହୋଇଥିଲା ତାହାକୁ ବିରୋଧ କରି ଏଡୱିନ ୱିଲସନ ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନର ଶୁଣାଣି କରି ଜଷ୍ଟିସ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ କେନ୍ଦ୍ର ପରିବେଶ, ନିର୍ବାଚନ ଆୟୋଗ ଓ ଜଙ୍ଗଲ ମନ୍ତ୍ରାଳୟକୁ ଜବାବ ତଲବ କରିଛନ୍ତି ।