ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦୀର୍ଘଦିନ ହେଲା ସୁପ୍ରିମ କୋର୍ଟରେ ଚାଲୁଥିବା ଅଯୋଧ୍ୟା ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୧୫କୁ ସ୍ଥିର ହୋଇଛି । ଆଜି ଏହି ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ତେବେ ଏନେଇ ଆଜି ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ନେତୃତ୍ୱରେ ୫ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ମାମଲାର ଆପୋସ ବୁଝାମଣା କରିବା ପାଇଁ ସୁପ୍ରିମକୋର୍ଟ ଅଗଷ୍ଟ ୧୫ ତାରିଖ ଯାଏଁ ସମୟ ବୃଦ୍ଧି କରିଛନ୍ତି । ସୂଚନାଯୋଗ୍ୟ ଯେ ବହୁଚର୍ଚ୍ଚିତ ଏହି ମାମଲାର ଆପୋସ ବୁଝାମଣା କରିବା ପାଇଁ ମଧ୍ୟସ୍ଥା ପ୍ୟାନେଲ କମିଟି ଅତିରିକ୍ତ ସମୟ ମାଗିଥିଲେ ।
ମଧ୍ୟସ୍ଥତା ପ୍ୟାନେଲ ରିପୋର୍ଟ ଏକ ବନ୍ଦ ଲଫାପା ମାଧ୍ୟମରେ ଦେଇଛନ୍ତି । ତେବେ ମଧ୍ୟସ୍ଥତା କେତେ ଆଗେଇଛି ସେ ବାବଦରେ ଖଣ୍ଡପିଠ କେବେ ପଚାରିବ ନାହିଁ । ଏହା ସମ୍ପୂର୍ଣ୍ଣ ଗୋପନୀୟ ରହିବ ବୋଲି କୋର୍ଟ କହିଛନ୍ତି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୧୫ ଦିନ ହେବ । ପୂର୍ବରୁ କୋର୍ଟ ଏହି ପ୍ୟାନେଲକୁ ନିର୍ଦେଶ ଦେଇଥିଲେ ଆଜି ଏନେଇ ରିପୋର୍ଟ ଦେବାକୁ ।
ତେବେ ସମାଧାନ ପାଇଁ ଆଉକିଛି ରିପୋର୍ଟ ପାଇଁ ଏହି ସମୟ ମଧ୍ୟସ୍ଥତା ପ୍ୟାନେଲ ମାଗିଛନ୍ତି । ସେହଭଳି ଉକ୍ତ ସମୟ ମଧ୍ୟରେ କାଳେ ସମସ୍ୟାର ଆପୋସ ବୁଝାମଣା ହୋଇଯିବ ସେ ନେଇ ପ୍ୟାନେଲ ଯୁକ୍ତି ବାଢିଥିଲେ । ଯାହାକୁ କୋର୍ଟ ମଞ୍ଜୁର କରିଛନ୍ତି । ବହୁଚର୍ଚ୍ଚିତ ବ୍ରାବି ମସଜିତ ଓ ରାମ ମନ୍ଦିର ବିବାଦର ନିଜନିଜ ଭିତରେ ବୁଝାମଣା ପାଇଁ କୋର୍ଟ ଗତ ମାର୍ଚ୍ଚ ୮ ତରିଖରେ ୩ ଜଣିଆ ମଧ୍ୟସ୍ଥତା ପ୍ୟାନେଲ ଗଠନ କରିଥିଲେ ।