ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଆତଙ୍କବାଦୀ ଭାରତକୁ ଟାର୍ଗେଟ କରି ଆସୁଛି । ବେଶି କରି ଆତଙ୍କୀଙ୍କ ଟାର୍ଗେଟରେ ରହଛି ରାଜଧାନୀ ଦିଲ୍ଲୀ ସମେତ ଭାରତର କିଛି ବଡବଡ ସହର । ସମ୍ଭାବ୍ୟ ଆକ୍ରମଣକୁ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସମୟରେ ସୂଚନା ମିଳୁଛି । ଆଜି ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବିମାନ ବନ୍ଦରରୁ ଏକ ସନ୍ଦିଗ୍ଧ ବ୍ୟାଗ ମିଳିଛି । ଯାହାକୁ ନେଇ ଏବେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡକଡି କରାଯାଇଛି ।
ବିମାନ ବନ୍ଦରର ୩ ନମ୍ବର ଟର୍ମିନାଲ୍ରେ ଏହି ସନ୍ଦିଗ୍ଧ ବ୍ୟାଗ୍ ମିଳିଛି । ସୂଚନା ଅନୁସାରେ ଆଜି ଭୋର ୩ ଟା ବେଳେ ଏହି ବ୍ୟାଗ ମିଳିଛି । ବ୍ୟାଗରେ କଣ ରହିଛି ତାହା ଜଣା ପଡିନଥିଲେ ମଧ୍ୟ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ଦିଲ୍ଲୀ ପୁଲିସର ସୂଚନା ଅନୁସାରେ ଶୁକ୍ରବାର ଭୋର ୩ଟାରୁ ଏକ ସନ୍ଦିଗ୍ଧ ବ୍ୟାଗ ଥିବା ନେଇ ସୂଚନା ମିଳିଥିଲା । ଖବର ପାଇ ବୋମା ଚିହ୍ନଟ ଓ ଅକାମିକାରୀ, ସନ୍ଧାନୀ କୁକୁର ସ୍କ୍ଵାଡ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ବ୍ୟାଗଟିକୁ ପୋଲିସ ଉଦ୍ଧାର କରିଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।