ବଲାଙ୍ଗୀର ( ଏଟିଆର ବ୍ୟୁରୋ): ବିଜ୍ଞାନ ଓ ଟେକନୋଲୋଜି ଯେତେ ଅଗ୍ରଗତି କଲେ ମଧ୍ୟ ଏବେ ବି ଲୋକଙ୍କ ମନରୁ କୁସଂସ୍କାର ଦୂର ହୋଇନି । ଆଜି ବି ଲୋକେ ଗୁଣିଗାରେଡି ଭଳି ପରମ୍ପରାକୁ ମାନୁଛନ୍ତି । ଯାହାର ପୁଣି ଏକ ବାସ୍ତବ ପ୍ରମାଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝିର ସାଲେପୁର ଗ୍ରାମରେ ନରବଳି ଦିଆହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମୃତକ ହେଲେ ତୁରେକେଲା ବ୍ଲକ ମାଣ୍ଡୋଲ ଗାଁର ଭୂଜବଲ ପରାଭଭୂଏ ।
ଏହି ଦୀପାବଳିରେ ଭୂଜବଲ ସାଲେପୁର କାଳୀପୂଜା ଦେଖିବାକୁ ଆସିଥିବା ବେଳେ ସେଠାରେ ତାଙ୍କୁ ଗୁରୁ ବାବା ଚୌବନ କିଶୋର ମାଝୀ ବଳି ଦେଇଥିବା ଅଭିଯୋଗ ହୋଇଛି । ଗତ ବୁଧବାର ଏକ ପରିତ୍ୟକ୍ତ କୂଅରୁ ଭୁଜବଲଙ୍କ ମୃତଦେହ ମିଳିବା ପରେ ଏନେଇ ଭୁଜବଲଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରିବାକୁ ପଠାଇଥିଲା ।
ପ୍ରକୃତରେ ଏହା ନରବଳି ନାଁ ଅନ୍ୟକିଛି କାରଣ ନେଇ ହତ୍ୟା କରାଯାଇଛି ତାହା ଏଯାବତ ସ୍ପଷ୍ଟ ହୋଇ ନାହିଁ । ଅନ୍ୟପଟେ ପୋଲିସ ବାବା ଓ ପୂଜକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସେମାନେ ହତ୍ୟା କରି ନଥିବା କହିଛନ୍ତି । ଅନ୍ୟପଟେ ନରବଳିକୁ ଏସପି ଖଣ୍ଡନ କରିଛନ୍ତି । ଏହା ବଳି ବୋଲି ପୋଲିସକୁ ଏଯାବତ କୌଣସି ପ୍ରମାଣ ମିଳିନାହିଁ ।