ହାଇଦ୍ରାବାଦ (ଏଟିଆର ବ୍ୟୁରୋ); ଓଲିଉଡ ପରେ ଏବେ ଟଲିଉଡରେ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି । ନିକଟରେ ଓଡିଶାର ଦୁଇ ଅଭିନେତ୍ରୀ ନିକିତା ଏବଂ ସିମରନଙ୍କ ମୃତ୍ୟୁ ଗୁମର ଏବେ ଯାଏଁ ଖୋଲିନି । ସେପଟେ ତେଲୁଗୁ ଅଭିନେତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ବଢ଼ିଛି ସନ୍ଦେହ । ତେବେ ଆତ୍ମହତ୍ୟା କରିଥିବା ଏହି ଅଭିନେତ୍ରୀ ଜଣକ ହେଲେ ନାଗା ଝାନସୀ । ସେ ତେଲୁଗୁ ଟେଲି ଅଭିନେତ୍ରୀ ଭାବରେ ବେଶ ପରିଚିତ । ମା ଟିଭିରେ ପ୍ରସାରିତ ହେଉଥିବା ‘ପବିତ୍ର ବନ୍ଧନମ୍’ ସିରିଏଲରେ ଅଭିନୟ କରୁଥିଲେ । ତେବେ ସେ ଫ୍ୟାନରେ ଣଶି ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଏହା ପ୍ରେମ ଜନିତ ଆତ୍ମହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।
ମିଳିଥିବା ରିପୋର୍ଟ ଅନୁଯାୟୀ ନାଗା ଝାନସୀ ହାଇଦ୍ରାବାଦର ଶ୍ରୀନଗରରେ ଏକ ଫ୍ଲାଟରେ ରହୁଥିଲେ । ତେବେ ଆତ୍ମହତ୍ୟା କରିଥିବା ବେଳେ ସେ ଏକା ଥିଲେ ବୋଲି ଜଣା ପଡିଛି । ତାଙ୍କ ଫୋନ ବନ୍ଦ ଥିଲା ଏବଂ ତାଙ୍କ ଭାଇ ଦୁର୍ଗା ପ୍ରସାଦ ତାଙ୍କ ଫୋନ କରିଥିଲେ ମଧ୍ୟ ଲାଗି ନଥିଲା । ଫଳରେ ତାଙ୍କର ସନ୍ଦେହ ହେବାରୁ ସେ ପଡୋଶୀ ଘରକୁ ଫୋନ କରି ବୁଝିଥିଲେ । ପଡୋଶୀ ଦେଖିଲା ବେଳକୁ ଘର କବାଟ ବନ୍ଦ ଥିଲା । ଯେତେ ଡାକିଥିଲେ ମଧ୍ୟ କବାଟ ଖୋଲିନଥିଲେ । ଶେଷରେ କବାଟ ଭାଙ୍ଗି ଦେଖିବା ବେଳରୁ ଫ୍ୟାନରେ ଝୁଲୁଥିବା ଦେଖିଥିଲେ । ଏହା ପରେ ତାଙ୍କୁ ସ୍ଥାନୀୟ ମେଡିକାଲକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏହି ଖବର ପାଇବା ପରେ ଘରକୁ ଯାଇ ତଦନ୍ତ ଆରମ୍ଭ କରିଛି ।
ପୋଲିସ ରିପୋର୍ଟ ମୁତାବକ ୨୧ ବର୍ଷିୟ ଏହି ଅଭିନେତ୍ରୀ ଜଣକ ସୁରୟା ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା ଏବଂ ଏହି କାରଣରୁ ଆତ୍ମହତ୍ୟା କରାଯାଇଛି ବୋଲି ସନ୍ଦେହ କରିଛି । ଘରୁ ଯେତେ ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା ସେ ଏକ ସୁଇସାଇଡ ନୋଟ ଲେଖି ପକାଇ ଦେଇଥିବା ଦେଖିବାକୁ ମିଳିଥିଲା । ଏବଂ ମୋବାଇଲ ଭାଙ୍ଗି ତଳେ ପକାଇଥିବା ଜଣାପଡିଛି । ଏଣୁ ଏହା ଏକ ପ୍ରେମ ଜନିତ ମାମଲା ବୋଲି ପୋଲିସ ସୂଚନା ଦେଇଛି । ସେପଟେ ସୁରୟାଙ୍କ ଆଗାମି ଦିନରେ ଥାନାକୁ ଆଣି ପଚରା ଉଚରା କରାଯିବ ବୋଲି ପୋଲିସ କହିଛି ।