ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ଦୁଇ ଦିନ ବାକି ଅଛି । ଅପ୍ରିଲ ୧ ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇଯିବ । ଏହି ନୂତନ ଆର୍ଥିକ ବର୍ଷ ଆପଣମାନଙ୍କ ପାଇଁ ମହଙ୍ଗା ପଡିପାରେ । କାରଣ ଅନେକ ଜିନିଷ ମହଙ୍ଗା ହୋଇଯିବ । ତେବେ ଆସନ୍ତୁ ଜାଣିବା ଅପ୍ରିଲ ୧ ରୁ କେଉଁ ଜିନିଷ ଉପରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
ଯଦି ଆପଣ ଗାଡି କିଣିବାକୁ ଚାହୁଁଛନ୍ତି ତେବେ ଦୁଇ ଦିନ ଭିତରେ ଗାଡି କିଣି ନିଅନ୍ତୁ । କାରଣ ଅନେକ କମ୍ପାନୀ ତାଙ୍କ କାରର ଦର ବୃଦ୍ଧି କରିବାକୁ ଯାଉଛନ୍ତି । ଯେଉଁସବୁ କମ୍ପାନୀ ଦର ବୃଦ୍ଧି କରିବାକୁ ଯାଉଛନ୍ତି ସେମାନଙ୍କ ମଧ୍ୟରେ ଟାଟା ମୋଟର୍ସ, ଟୋୟୋଟା କିଲୋସ୍କର ମୋଟର୍ସ,ଜାଗୁଆର ଲ୍ୟାଣ୍ଡ ରୋଭର ଏବଂ ମହିନ୍ଦ୍ର ଆଣ୍ଡ ମହିନ୍ଦ୍ରା ସାମିଲ ଅଛି । ପ୍ରତ୍ୟେକ କାର୍ ପିଛା ଟାଟା ପକ୍ଷରୁ ୨୫ ହଜାର ଏବଂ ମହେନ୍ଦ୍ର ପକ୍ଷରୁ ୭୫ ହଜାର ଟଙ୍କା ବୃଦ୍ଧି ହେବାକୁ ଯାଉଛି ।
ରୋଷେଇ ଗ୍ୟାସ ସିଲିଣ୍ଡରର ଦର ବି ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଛି । ଯଦି ଆପଣ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରୁଛନ୍ତି ତେବେ ଏହି ଦୁଇ ଦିନ ଭିତରେ ବୁକ୍ କରିବା ଦ୍ୱାରା ଆଗାମୀ ମାସରେ ବୃଦ୍ଧି ହେବାକୁ ଥିବା ଟଙ୍କା ଦେବାରେ ରକ୍ଷା ପାଇ ପାରିବେ । ପ୍ରତ୍ୟେକ ମାସର ପହିଲାରେ ତେଲ କମ୍ପାନୀ ପକ୍ଷରୁ ରୋଷେଇ ଗ୍ୟାସ ସିଲିଣ୍ଡର ଦରର ପରିବର୍ତ୍ତନ କରାଯାଇଥାଏ ।
ଘରେ ପାଇପ ଲାଇନ୍ ଜରିଆରେ ସପ୍ଲାଇ ହେଉଥିବା ପ୍ରାକୃତିକ ଗ୍ୟାସ(ପିଏନଜି) ଏବଂ ଗାଡିରେ ଭର୍ତ୍ତି ହେଉଥିବା ସିଏନଜୀ ର ଦର ବି ଅପ୍ରିଲ ୧ ରୁ ବୃଦ୍ଧି ହୋଇପାରେ ।
ସେପଟେ ବିମାନ ଟିକେଟର ଦର ମଧ୍ୟ ବଢିପାରେ ।
ଗ୍ରୀଷ୍ମ ଛୁଟି ପାଇଁ ବିମାନ ଟିକେଟ କରିବାକୁ ଭାବୁଥିବା ଲୋକଙ୍କୁ ଅପ୍ରିଲ ୧ ରୁ ଟିକେଟ ମହଙ୍ଗା ହୋଇପାରେ ।
ସେହିପରି ଅପ୍ରିଲ ୧ ରୁ ହୃଦ ସମ୍ବନ୍ଧୀୟ ଚିକିତ୍ସା ମହଙ୍ଗା ହୋଇପାରେ ।