ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ତିତଲି ଭୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ । ଗତକାଲିଠୁ ତିତଲିର ଗତିବିଧି ଦେଖି ରେଳବାଇ ପକ୍ଷରୁ ବହୁ ଟ୍ରେନକୁ ବାତିଲ କରାଯାଇଥିବା ବେଳେ ଟ୍ରେନର ରୁଟ ମଧ୍ୟ ବଦଳାଯାଇଛି । ଖରାପ ପାଗ ବାତ୍ୟାକୁ ଦୃଷ୍ଟିରେ ରଖି ପାଖାପାଖି ୬ ଟି ଟ୍ରେନ ବାତିଲ କରାଯାଇଥିବା ବେଳେ ଗୋଟିଏ ଟ୍ରେନର ରୁଟ ବଦଳାଯାଇଥିବାର ସୂଚନା ମିଳିଛି । ଭୁବନେଶ୍ୱର ରୁ ବିଶାଖାପାଟନମ ଯାଉଥିବା ଇଣ୍ଟରସିଟିକୁ ବାତିଲ ଘୋଷଣା କରାଯାଇଥିବା ବେଳେ ବିଶାଖାପଟନମ – ଦୀଘା ଏକ୍ସପ୍ରେସ ମଧ୍ୟ ବାତିଲ ହୋଇଛି ।
ସେହିପରି କାଣ୍ଟ – ଗୌହାଟି ଏକ୍ସପ୍ରେସ ଏବଂ ଯଶୋବନ୍ତପୁର –ହାଓଡା ଏକ୍ସପ୍ରେସ ମଧ୍ୟ ବାତିଲ ହୋଇଛି । ସେପଟେ ଯଶିବନ୍ତପୁରରୁ ମୁଜାଫରପୁର ଯାଉଥିବା ଏକ୍ସପ୍ରେସ ଓ ହାଓଡାରୁ ହାଇଦ୍ରବାଦ ଯାଉଥିବା ଇଷ୍ଟକୋଷ୍ଟ ରେଳକୁ ମଧ୍ୟ ବାତିଲ ଘୋଷଣା କରାଯାଇଛି । ହାଓଡା ଠାରୁ ସିକନ୍ଦରାବାଦ ଯାଉଥିବା ଫଲକନାମା ଏକ୍ସପ୍ରେସର ରୁଟ ବଦଳାଯାଇ ଖଡଗପୁର – ଟାଟା-ବିଳାସପୁର-କାଜିପେଟ ରୁଟ ଦେଇ ଯିବ ବୋଲି ଜଣାପଡିଛି । ସାରା ରାଜ୍ୟରେ ବାତ୍ୟାର ଭୟ ଯୋଗୁ ରେଳବାଇ ମଧ୍ୟ ସତର୍କତା ଅବଲମ୍ବନ କରି ଏପରି ନିଷ୍ପତି ନେଇଛି ।