ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲି ସୋସିଆଲ ମିଡିଆ ଜରିଆରେ ପ୍ରେମ କରିବା ଏକ ପ୍ରକାର ଟ୍ରେଣ୍ଡ ଚାଲିଛି । କେତେବେଳେ କେଉଁ ଆପ୍ ଜରିଆରେ କିଏ କାହା ହୃଦୟକୁ ଜିତୁଛି ତାହା ଜାଣି ହେଉ ନାହିଁ । ସାମ୍ନା ସାମ୍ନି ଦେଖା ନହୋଇ ଥାଉ ପଛେ କିନ୍ତୁ ଚାଟିଂରୁ ଆରମ୍ଭ ହୋଇଯାଉଛି ପ୍ରେମ । ମାତ୍ର ଏହି ସୋସିଆଲ ମିଡିଆ ପ୍ରେମରୁ ହିଁ କଥା ବାହାଘର ପର୍ଯ୍ୟନ୍ତ ପହଁଚି ଯାଉଛି । ଏହି ସମ୍ପର୍କ କାହା ଭାଗ୍ୟରେ ତିଷ୍ଟକି ରହୁଛି ତ ପୁଣି ଆଉ କାହାର ଅଳ୍ପ ଦିନରେ ଭାଙ୍ଗି ଯାଉଛି । ଏଭଳି ଏକ ଦୃଶ୍ୟ ଗୁଜୁରାଟରେ ଦେଖିବାକୁ ମିଳିଛି ।
ମିଡିଆ ରିପୋର୍ଟ ମୁତାବକ, ଗୁଜୁରାଟର ଅହମଦାବାଦ୍ ରେ ରହୁଥିବା ୨୧ ବର୍ଷିୟ ରାଜା ୯ ମାସ ପୂର୍ବରୁ ଟିକ୍ ଟକ୍ ଆପ୍ ରେ ଜଣେ ଝିଅର ଭିଡିଓକୁ ଲାଇକ୍ କରିଥିଲେ । ୧୯ ବର୍ଷିୟା ଏହି ଝିଅଟି ବ୍ୟୁଟିସିଆନ୍ କାମ କରନ୍ତି । ଭିଡିଓ ଲାଇକ କରିବା ପରେ ଦୁହେଁ ଦୁହିଁଙ୍କୁ ଫଲୋ କରିବା ସହିତ ଦୁହିଁଙ୍କ ମଧ୍ୟରେ ଚାଟିଂ ମଧ୍ୟ ଆରମ୍ଭ ହୋଇ ଯାଇଥିଲା ।
ଚାଟିଂ କରିବାର କିଛି ଦିନ ପରେ ନଭେମ୍ବର ୧୯, ୨୦୧୮ରେ ଝିଅର ଜନ୍ମଦିନ ଅବସରରେ ରାଜା ସେହି ଝିଅକୁ ପ୍ରେମ ନିବେଦନ ଜଣାଇଥିଲା । ଏହାକୁ ଝିଅ ସ୍ୱୀକାର ମଧ୍ୟ କରିଥିଲା । ଧୀରେ ଧୀରେ ଦୁହିଁଙ୍କ ମଧ୍ୟ ଘନିଷ୍ଠତା ବଢିବାକୁ ଲାଗିଲା ଏବଂ ଦୁହେଁ ସାତ ଜନ୍ମର ସାଥୀ ହେବା ପାଇଁ ନିଷ୍ପତି ନେଲେ । ବାହାଘର ବିଷୟରେ ପରିବାରକୁ ନଜଣାଇ ଦୁହେଁ ୧୭ ଅପ୍ରିଲ ୨୦୧୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ।
ବାହାଘର ପରେ ଦୁହେଁ ବିବାହ ପଞ୍ଜିକରଣ ପାଇଁ ଆବେଦନ କରି ନିଜ ନିଜ ଘରକୁ ଚାଲିଯାଇଥିଲେ । ଏହାପରେ ପୁଅଟି ଝିଅର ଫୋନ୍ ଉଠାଇ ନଥିଲା କି ମେସେଜର ବି କୌଣସି ଉତ୍ତର ଦେଇନଥିଲା । ତେବେ ଝିଅଟି ଏନେଇ ମହିଳା ହେଲ୍ପଲାଇନ୍ ୧୮୧ କୁ ଫୋନ୍ କରି ସାହାଯ୍ୟ ଲୋଡିଥିଲା । ଦୁହିଁଙ୍କୁ ମହିଳା ହେଲ୍ପଲାଇନ୍ ଟିମ୍ ଥାନାକୁ ଡକାଇ ବୁଝାଇବାକୁ ଚେଷ୍ଟା କରିଥିଲେ । ମାତ୍ର ପୁଅଟି ଛାଡପତ୍ର ପାଇଁ ଜିଦ୍ ଧରି ବସିଥିବା ବେଳେ ଝିଅ ଛାଡପତ୍ର ପାଇଁ କଦାପି ରାଜି ନଥିଲା ।
ଛାଡପତ୍ର ମାମଲାକୁ ନେଇ ମହିଳା ହେଲ୍ପଲାଇନକୁ ପୁଅଟି କହିଥିଲା କି ମୁଁ ଫୋନ୍ ନ ଉଠାଇବାରୁ ଝିଅଟିର ଏତେ ରାଗ ହୋଇଗଲା ଯେ ଯାହାଫଳରେ ଥାନାର ଦ୍ୱାରସ୍ଥ ହେବାକୁ ପଡିଲା । ଏଭଳି ଝିଅ ସହିତ ମୁଁ ରହି ପାରିବି ନାହିଁ । ସେଥିପାଇଁ ମୁଁ ଛାଡ୍ରପତ୍ର ଚାହୁଁଛି ।