ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଲବଲ କରୁଛି କରୋନା । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ସହ ଗୋଟୋଏ ପରେ ଗୋଟାଏ ଜୀବନ ନେଉଛି । ଏବେ ପୁଣି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ବିଧାୟକ ତମୋନାଶ ଘୋଷଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ମେ’ ମାସରେ ତାଙ୍କର କରୋନା ପଜିଟିଭ୍ ବାହାରି ଥିଲା । କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ତାଙ୍କର ନିଧନକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଶୋକ ପ୍ରକାଶ କରିଛନ୍ତି ।
ରିପୋର୍ଟ ମୁତାବକ, ଦକ୍ଷିଣ ୨୪ ପରଗଣା ଜିଲ୍ଲାର ଫଲ୍ଟା ରେ ତିନି ଥର ବିଧାୟକ ହୋଇଥିବା ଶ୍ରୀ ଘୋଷ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହାସହିତ ତାଙ୍କ ହୃତ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଥିଲା ।
ଏନେଇ ମମତା ବାନାର୍ଜି ଟ୍ୱିଟ କରି କହିଛନ୍ତି କି, ବହୁତ ଦୁଃଖଦ ଖବର, ଫଲ୍ଟାରୁ ତିନି ଥର ବିଧାୟକ ଏବଂ ୧୯୯୮ରେ ପାର୍ଟିର କୋଷାଧ୍ୟକ୍ଷ ରହିଥିବା ତମୋନାଶ ଘୋଷ ଆଉ ନାହାନ୍ତି । ସେ ଆମ ସହିତ ୩୫ ବର୍ଷ ରହିଥିଲେ । ସେ ଦଳ ଏବଂ ଲୋକଙ୍କ ପ୍ରତି ସମର୍ପିତ ଥିଲେ । ନିଜର ସାମାଜିକ କାର୍ଯ୍ୟ ଦ୍ୱାରା ସେ ବହୁତ ଯୋଗଦାନ ଦେଇଥିଲେ ।