ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ରଥଯାତ୍ରା ବନ୍ଦ ହେବାକୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ଶୁଣାଣି ହେବା ପରେ ବିଭିନ୍ନ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହାରି ଭିତରେ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିଶନ ଦାଖଲ କରାଯାଇଛି । ଯାହାକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା କାଲି ଦିନ ୧୧ଟା ବେଳେ ଏହି ରିଭ୍ୟୁ ପିଟିସନର ଶୁଣାଣୀ କରାଯିବ ବୋଲି ଜଣାପଡିଛି । ଅନ୍ୟ ସବୁଯାଗାରେ ରଥଯାତ୍ରା ବନ୍ଦ କରି କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ପିଟିସନରେ ଅନୁରୋଧ କରାଯାଇଛି । ଆବଶ୍ୟକ ସ୍ଥଳେ ପୁରୀକୁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ କରି କେବଳ ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ନେଇ ମହାପ୍ରଭୁଙ୍କ ରଥଯାତ୍ରା କରିବାକୁ ଏଥିରେ ଆବେଦନ କରାଯାଇଛି ।
ସୂଚନାଯୋଗ୍ୟ ରଥଯାତ୍ରା ବନ୍ଦ କରିବା ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଏହି ଆବେଦନକୁ ହାଇକୋର୍ଟ ଖାରଜ କରି ରାଜ୍ୟ ସରକାର ରଥଯାତ୍ରା କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବେ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଥିଲା । ଏହାପରେ ଆବେଦନକାରୀ ସୁପ୍ରିମକୋର୍ଟରେ ରଥଯାତ୍ରା ବନ୍ଦ କରିବା ପାଇଁ ଅପିଲ କରିଥିଲେ । ଏହାର ଶୁଣାଣୀ କରି ସୁପ୍ରିମକୋର୍ଟ ପକ୍ଷରୁ ରଥଯାତ୍ରାକୁ ବନ୍ଦ କରିବା ପାଇଁ କୁହାଯାଇଥିଲା ।ଏହା ସହ ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଥିଲା ଯେ, ଲୋକ ମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନଜରରେ ରଖି ରଥଯାତ୍ରା ପାଇଁ ଅନୁମତି ଦିଆ ଯାଇପାରିବ ନାହିଁ । ବର୍ତ୍ତମାନ କରୋନା ମହାମାରୀ ବ୍ୟାପୁଥିବାରୁ ଲୋକ ମାନେ ସମାବେଶ ହେବାର ଅନୁମତି ଦିଆଯାଇପାରିବ ନାହିଁ । ଏଥିପାଇଁ ଅନୁମତି ଦେଲେ ମହାପ୍ରଭୁ ଆମକୁ କ୍ଷମା କରିବେ ନାହିଁ । ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା ।