ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ବହୁ ପ୍ରତିକ୍ଷିତ ତିନି ତଲାକ ବିଲ ଆଜି ରାଜ୍ୟସଭାରେ ଆଗତ ହୋଇଛି । ପୂର୍ବରୁ ଲୋକସଭାରେ ପାସ ହୋଇଥିବା ଏହି ବିଲକୁ ଆଜି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜ୍ୟସଭାରେ ଏହାକୁ ଆଗତ କରିଛନ୍ତି । ମୁସଲିମ ଧର୍ମରେ ତିନି ତଲାକ କହି ଛାଡ ପତ୍ର ଦେବା ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ଏହି ଆଇନ ଲାଗୁ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଯାହାକୁ ଲୋକସଭାରେ ପୂର୍ଣ୍ଣ ସମର୍ଥନ ମିଳିଥିଲା । ଆଜି ଏହି ବିଲକୁ ରାଜ୍ୟସଭାରେ ଆଗତ କରିଛନ୍ତି ଆଇନ ମନ୍ତ୍ରୀ । ଏହି ନୂଆ ଆଇନ ପାସ ହେଲେ ଏଥିରେ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ରହିଛି ।
ପୂର୍ବରୁ ଗତ ୨୫ ତାରିଖରେ ତିନି ତଲାକକୁ ଅପରାଧ ଭାବେ ବିବେଚନା କରିବା ଲାଗି ପ୍ରସ୍ତୁତ ହୋଇଥିବା ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଆଜି କେନ୍ଦ୍ର ସରକାର ରାଜ୍ୟସଭାରେ ଟ୍ରିପଲ ତଲାକ ବିଲ ଆଗତ କରିବା ପୂର୍ବରୁ ବିଜେପି ନିଜର ସାଂସଦମାନଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଥିଲା । ରାଜ୍ୟସଭାରେ ବିଜେପି ସଂଖ୍ୟା ଗରିଷ୍ଠତା କମ ଥିବାରୁ ବିଜେପି ଏହି ହ୍ୱିପ ଜାରି କରିଥିଲା । ତେଣୁ ଅଣ ଏନଡିଏ, ଅଣ ୟୁପିଏ ଦଳଗୁଡ଼ିକର ସାଂସଦମାନଙ୍କ ଉପରେ ନିର୍ଭର କରିବ । ବର୍ତ୍ତମାନ ସମୟରେ ଏନଡିଏ ସରକାରଙ୍କ ସପକ୍ଷରେ ରାଜ୍ୟସଭାରେ ୧୨ ଜଣ ମନୋନିତ ସାଂସଦ ଏବଂ ନିର୍ଦଳୀୟ ସାଂସଦଙ୍କ ସହ ସମୁଦାୟ ୧୧୩ ଜଣ ସାଂସଦଙ୍କ ସମର୍ଥନ ରହିଛି।
ଯଦି ବିଜେଡି ଏବଂ ଟିଆରଏସର ସଦସ୍ୟଙ୍କ ସମର୍ଥନ ମିଳେ ତେବେ ଗୃହରେ ସରକାର ବହୁମତର ସଂଖ୍ୟା ପାର କରି ପାରିବ। ଆଜି ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ରିପଲ ତଲାକ ବିଲ୍ ଆଗତ କରି କହିଥିଲେ, ଲିଙ୍ଗଗତ ନ୍ୟାୟ ପ୍ରଦାନ ପାଇଁ ଏହି ବିଲ୍କୁ କେନ୍ଦ୍ର ସରକାର ଆଇନ୍ରେ ପ୍ରରିଣତ କରିବାକୁ ଚାହୁଁଛନ୍ତି। ବିଶ୍ୱର ମୁସଲିମ ବହୁଳ ରାଷ୍ଟ୍ରଗୁଡ଼ିକରେ ଏଭଳି ପ୍ରଥାକୁ ଉଚ୍ଛେଦ କରାଯାଇଛି। ଯଦି ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର, ତା’ହେଲେ ଏହି ବ୍ୟବସ୍ଥା ଏଠାରେ ବନ୍ଦ ହେବା ଦରକାର ବୋଲି ସେ କହିଛନ୍ତି । ଅନ୍ୟ ପଟେ ବିଜେଡି ଏହି ବିଲକୁ ସ୍ୱାଗତ କରିବ ବୋଲି ସୂଚନା ମଳିଛି । ସୂଚନାଯୋଗ୍ୟ ମୁସଲିମ ଧର୍ମରେ ବର୍ତ୍ତମାନ ତିନି ତଲାକ କହି ସ୍ତ୍ରୀକୁ ଛାଡପତ୍ର ଦିଆ ଯାଉଛି । ଏହି ପ୍ରଥାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଚାହୁଛନ୍ତି ।