ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିନକୁ ଦିନ ସୁନ୍ଦରୀ ପ୍ରତିଯୋଗିତାର କ୍ରେଜ୍ ବଢି ଚାଲିଛି । ଏନେଇ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ଭିନ୍ନ ଭିନ୍ନ ସୁନ୍ଦରୀ ପ୍ରତିଯୋଗତା । ଏଥିରେ ଦେଶ ଓ ବିଦେଶରୁ ଅନେକ ସୁନ୍ଦରୀ ପ୍ରତିଯୋଗୀମାନେ ଅଂଶଗ୍ରହଣ କରି ନିଜ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣୁଛନ୍ତି । ଏଥିରେ ବିଜୟୀ ହୋଇଥିବା ଯୁବତୀ କିମ୍ବା ମହିଳାମାନଙ୍କୁ ଆପଣମାନେ ଦେଖିଥିବେ । ମାତ୍ର ମେକ୍ସିକୋରେ ପ୍ରଥମ ଥର ପାଇଁ ଏକ ଆଶ୍ଚର୍ଯ୍ୟଜନକ କଥା ଦେଖିବାକୁ ମିଳିଛି । ଆଜ୍ଞା ହଁ ଜଣେ କିନ୍ନର ସୁନ୍ଦରୀଙ୍କୁ ମିସ୍ ମେକ୍ସିକୋ ଟାଇଟେଲରେ ପୁରସ୍କୃତ କରାଯାଇଛି ।୨୭ ବର୍ଷିୟା ଇଭାନ୍ନା କ୍ୟାଜାରେସ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଟାଇଟେଲଟି ନିଜ ନାଁରେ କରିଛନ୍ତି ।
କିନ୍ନରମାନଙ୍କ ପାଇଁ ସବୁଠାରୁ ବିପଦପୂର୍ଣ୍ଣ ସ୍ଥାନ ହେଉଛି ମେକ୍ସିକୋ । ଏଠାକାର ସ୍ଥାନୀୟ ଉପଯୁକ୍ତ ଅଧିକାର ସମୁହ ଅନୁସାରେ , ୨୦୧୩ ଠାରୁ ୨୦୧୮ ମଧ୍ୟରେ ୨୬୧ କିନ୍ନରଙ୍କୁ ମାରି ଦିଆ ଯାଇଥିଲା । ପ୍ରତିଯୋଗୀତାରେ ଭାଗନେଇଥିବା କିନ୍ନର ସ୍ଥାନୀୟ ବେଶପୋଷାକ ଏବଂ ଶୃଙ୍ଗାର କରିଥିଲେ । ତାଙ୍କୁ ଏଥିରେ ଜଳବାୟୁ ପରିବର୍ତ୍ତନ ଏବଂ ମାନବ ଅଧିକାରୀଙ୍କୁ ନେଇ ପ୍ରଶ୍ନ କରାଯାଇଥିଲା ।
ଏହି ସୁନ୍ଦରୀ ପ୍ରତିଯୋଗୀରେ ଭାଗନେଇଥିବା ୨୧ ଜଣ କିନ୍ନର ମେକ୍ସିକୋର ଭିନ୍ନ ଭିନ୍ନ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିଥିଲେ । ଏହି ପ୍ରତିଯୋଗୀତାକୁ ତିନୋଟି ପର୍ଯ୍ୟାୟରେ ରଖାଯାଇଥିଲା । ପ୍ରତିଯୋଗୀମାନଙ୍କୁ ସେମାନଙ୍କର ବିକିନ୍ନ ୱେୟାର, ସ୍ଥାନୀୟ ବେଶପୋଷାକ ଏବଂ ଔପଚାରିକ ବେଶଭୁଷା ଆଧାରରେ ହିଁ ମୁଲ୍ୟାଙ୍କିତ କରାଯାଇଛି ।
ଏନେଇ ଇଭାନ୍ନା କହିଛନ୍ତି କି ଯେତେବେଳେ ଷ୍ଟେଜ୍ ଉପରେ ବିଜେତା ଭାବେ ମୋ ନାଁ ଘୋଷଣା କରାଗଲା ମୁଁ ନିଜେ ବିଶ୍ୱାସ କରିପାରିଲି ନାହିଁ । ଏହି ସଫଳତା ପାଇଁ ମୁଁ ମୋ କିନ୍ନର ସମୁଦାୟର ସମସ୍ତଙ୍କୁ ଶ୍ରେୟ ଦେବି । ମୁଁ ଚାହୁଁଛି କି ମେକ୍ସିକୋରେ କିନ୍ନରମାନଙ୍କ ପାଇଁ ସମ୍ମାନର ଭାବନା ସୃଷ୍ଟି ହେଉ ।