କୋଲକତା ( ଏଟିଆର ବ୍ୟୁରୋ): ଏବେ କରୋନା ଭାଇରସ ଚୀନରେ ବେକାବୁ ହୋଇଥିବା ବେଳେ ଏବେ ପୁଣି ଭାରତରେ ୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ରୋଗୀ ଚିହ୍ନଟ ହୋଇଛନ୍ତି କୋଲକାତାରେ । ବ୍ୟାଙ୍କକରୁ ଆସି କୋଲକାତାରେ ଓହ୍ଲାଇଥିବା ଦୁଇ ଜଣଙ୍କ ଶରୀରେ କରୋନା ଭୂତାଣୁ ଥିବା ଚିହ୍ନଟ ହୋଇଛି । କୋଲକାତା ବିମାନ ବନ୍ଦର କତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି । ଏମାନଙ୍କୁ ଏବେ ଏକ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଏମାନଙ୍କ ନାମ ହିମାନ୍ଦ୍ରୀ ବରମନ ଓ ନଗେନ୍ଦ୍ର ସିଂ ବୋଲି ଜଣାପଡିଛି । ଏମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯିବା ପରେ ଏବେ ଏମାନେ କରୋନା ଭାଇରସରେ ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି ।
ହିମାନ୍ଦ୍ରୀଙ୍କୁ ମଙ୍ଗଳବାର ଓ ନଗେନ୍ଦ୍ରଙ୍କୁ ବୁଧବାର ଚିହ୍ନଟ କରାଯାଇଛି । ପୂର୍ବରୁ ଅନୀତା ନାମକ ଆଉ ଜଣେ ରୋଗୀ ଚିହ୍ନଟ କରାଯାଇଛି । ଏୟାର ପୋର୍ଟରେ ସ୍କ୍ରିନିଂ ବେଳେ ଏମାନଙ୍କୁ ଚିହ୍ନଟ କରାଯାଇଛି । ସୂଚନାଯୋଗ୍ୟ ଏବେ ଚୀନରେ କରୋନା ମୃତ୍ୟୁ ସଂଖ୍ୟା ୧୩୬୦ ପହଞ୍ଚିଲାଣି । ସବୁଠାରୁ ବଡ କଥା ହେଲା ଗତକାଲି କରୋନାରେ ମୃତ୍ୟୁ ସଂଖ୍ୟା ରହିଛି ୨୬୦ । ଗତ ଡିସେମ୍ବର ୩୧ ରେ ପ୍ରଥମେ ଏହି ଭାଇରସ ଚିହ୍ନଟ ହୋଇଥିଲା । ଏବେ ଚୀନରେ ଯେଉଁଭଳି ଭାବେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ସେହି ଅନୁପାତରେ ଏବେ ଚୀନରେ ମେଡିକାଲର ବେଡ ନାହିଁ । ଏବେ ପର୍ୟ୍ୟନ୍ତ ମଧ୍ୟ କରୋନାର ପ୍ରତିଶେଧକ ବାହାର କରି ପାରିନାହିଁ ଚୀନ ।