ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ମହାରାଷ୍ଟ୍ରରେ ସରକାର ଗଢିବାକୁ ଶିବସେନା ଓ ବିଜେପି ମଧ୍ୟରେ ଲାଗି ରହିଥିବା ହାଇଭୋଲଟେଜ ଡ୍ରାମାରେ ଆଜି ଏକ ନୂଆ ମୋଡ ଆସିିଛି । କେନ୍ଦ୍ର ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅରବିନ୍ଦ ସାଓ୍ବନ୍ତ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ଟ୍ବିଟ୍ କରି କେନ୍ଦ୍ର ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ପଦରୁ ଇସ୍ତଫା ନେଇ ନିଜେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଗତକାଲି ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ସରକାର ଗଢିବା ପାଇଁ ବିଜେପିକୁ ଆମନ୍ତ୍ରଣ କରିଥିଲେ ।
ମାତ୍ର ବିଜେପି ରାଜ୍ୟପାଳଙ୍କୁ ସାକ୍ଷାତ କରି କହିଥିଲା ଆମେ ବିଧାନସଭାରେ ଏକାକି ସରକାର ଗଢି ପାରିବୁ ନାହିଁ। ବିଜେପି ସରକାର ଗଢ଼ିବା ପାଇଁ ମନା କରିବା ପରେ ଏନସିପିର ସମର୍ଥନରେ ଶିବସେନା ସରକାର ଗଢ଼ିବା ପାଇଁ ଅଣ୍ଟା ଭିଡିଛି । ହୁଏତ ଆଜି ବିଧିବଧ ଭାବେ ଶିସେନା ବିଜେପି ସହିତ ମେଣ୍ଟ ଭାଙ୍ଗିବା କଥାକୁ ଘୋଷଣା କରି ପାରନ୍ତି । ଏନସିପି ସହିତ ମେଣ୍ଟ କରି ପାରେ ଶିବସେନା । ଆଜି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ରାଜ୍ୟପାଲଙ୍କୁ ଭେଟି ସରକାର ଗଢ଼ିବାକୁ ଅଧିକ ସମୟ ମାଗି ପାରନ୍ତି । ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ଏବେ ମହାରାଷ୍ଟ୍ରରେ ବିବାଦ ଲାଗି ରହିଛି ।