ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଫାଶୀ ତାରିଖ ଯେତେ ପାଖେଇ ଆସିଛି ସେତିକି ସେତିକି ମୃତ୍ୟୁକୁ ଅତି ପାଖରୁ ଦେଖିବା ଆରମ୍ଭ କରି ଦେଲେଣି ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ । ଫାଶୀରୁ ବର୍ତ୍ତିବା ପାଇଁ ଆପଣାଉଥିବା ସମସ୍ତ କୌଶଳ ଏବେ ଫେଲ ମାରିବା ପରେ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ଅଭିଯୁକ୍ତ । ଗତ ଗୁରୁବାର ଦିନ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଅପେକ୍ଷାରେ ଥିବା ବିନୟ ଶର୍ମା ଷ୍ଟାପଲର ଗିଳିଦେବାକୁ ଉଦ୍ୟମ କରୁଥିବା ଜଣା ପଡିଛି । ଏହି ଘଟଣା ଜେଲ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ ହେବା ପରେ ସେମାନେ ତାକୁ ଏଥିରୁ ନିବୃତ କରି ମେଡିକାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ବିନୟ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ଖବର ପ୍ରକାଶ ପାଇଥିଲା ।
ସେ ଜେଲ କାନ୍ଥରେ ମୁଣ୍ଡ ବାଡେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲା । ଅନ୍ୟପଟେ ବିନୟଙ୍କ ଓକିଲ ବାରମ୍ବାର ଦାବି କରି ଆସୁଛନ୍ତି ବିନୟ ମାନସିକ ବିକୃତ ହୋଇଯାଇଛି । ତେଣୁ ତାଙ୍କୁ ଫାଶୀ ନଦେବାକୁ ସେ କୋର୍ଟରେ ନିବେଦନ କରିଥିଲେ । ଯାହାକୁ ସିଧାସଳଖ ଖାରଜ କରି ଦେଇଥିଲେ କୋର୍ଟ । ସୂଚନାଯୋଗ୍ୟ ଏହି ୪ ଅଭିଯୁକ୍ତଙ୍କୁ ପ୍ରଥମେ ଜାନୁଆରି ୨୨ ତାରିଖରେ ଫାଶୀ ଦେବା ପାଇଁ କୋର୍ଟ ଡେଥ ୱାରେଣ୍ଟ ଜାରି କରିଥିଲେ । ଯାହାକୁ ପରେ ବିଭିନ୍ନ ଆଳ ଦେଖାଇ ଅଭିଯୁକ୍ତମାନେ ଟାଳି ଦେବାକୁ ସକ୍ଷମ ହୋଇଥିଲେ । ପୁଣି ଫେବୃଆରୀ ୧ ତାରିଖରେ କୋର୍ଟ ଡେଥ ୱାରେଣ୍ଟ ଜାରି କରିଥିଲେ । ତାକୁ ମଧ୍ୟ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅଭିଯୁକ୍ତଙ୍କ ଓକିଲ । ଯାହା ପୁଣି ମାର୍ଚ୍ଚ ୩ ତାରିଖକୁ ସ୍ଥିର ହୋଇଛି ।