ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଦୀର୍ଘ ଦୁଇ ଦିନ ପରେ ଦେଶକୁ ଫେରିଛନ୍ତି ଭାରତର ବୀର ପୁତ୍ର ତଥା ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ଭର୍ତ୍ତମାନ । ଆଜି ପାକିସ୍ତାନ ପକ୍ଷରୁ ଅଭିନନ୍ଦନଙ୍କୁ ୱାଘା ବର୍ଡରରେ ପହଁଚାଇ ଦିଆଯାଇଛି । ସିଧା କହିବାକୁ ଗଲେ ଏବେ ୱାଘା ବର୍ଡରରେ ଅଭିନନ୍ଦନ । ବୀର ପୁତ୍ରଙ୍କୁ ସ୍ୱାଗତ କରିବା ପାଇଁ ୱାଘାରେ ଜନସମାଗମ ଦେଖାଦେଇଛି । ତ୍ରିରଙ୍ଗା ଏବଂ ଫୁଲ ମାଳରେ ଅଭିନ୍ଦନଙ୍କୁ ସ୍ୱାଗତ କରାଯାଇଛି । ୱାଘାରୁ ଦିଲ୍ଲୀ ଅଭିମୁଖେ ବାହାରିବେ ଅଭିନନ୍ଦନ । ଦିଲ୍ଲୀ ବିମାନବନ୍ଦରରେ ଅଭିନନ୍ଦନଙ୍କ ଅପେକ୍ଷାରେ ତାଙ୍କ ପରିବାର ଲୋକ ରହିଛନ୍ତି ।
ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଘୋଷଣା କରିଥିଲେ କି ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡରଙ୍କୁ ଆଜି ମୁକ୍ତ କରାଯିବ । ଏହାପରେ ଭାରତବାସୀଙ୍କୁ ଆଶ୍ୱସ୍ତି ମିଳିଥିଲା । ଏହାପରେ ଅଭିନନ୍ଦନଙ୍କୁ ସ୍ୱାଗତ ଜଣାଇବା ପାଇଁ ୱାଘା ବର୍ଡରରେ ପହଁଚିଥିଲେ ହଜାର ହଜାର ଲୋକ ।
ଖବରମୁତାବକ, ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଏଫ୍ ୧୬ ବିମାନ ଭାରତ ସୀମାରେ ପଶିଯାଇଥିଲା । ଏହାକୁ ଦେଖି ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ପାକିସ୍ତାନ ବିମାନର ପିଛା କରିବା ସହ ଦୁଇ ବିମାନ ମଧ୍ୟ ଟକରା ଟକରି ହୋଇଥିଲା । ତାପରେ ପାକିସ୍ତାନୀ ବିମାନକୁ ତଳକୁ ଖସାଇ ଥିଲା ଭାରତୀୟ ଯୁଦ୍ଧ ବିମାନ । ଏହାପରେ ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନ ପାକିସ୍ତାନୀ ସୀମାକୁ ଖସି ପଡିବାରୁ ସେ ପାକିସ୍ତାନୀ ସେନାଙ୍କ କବଜାରେ ରହିଥିଲେ ।