ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଏଥିରୁ ବାଦ୍ ପଡିନି ଦେଶର ସବୁଠାରୁ ଧନି ମନ୍ଦିର ତିରୁପତି । ମନ୍ଦିରକୁ ଭକ୍ତଙ୍କ ଦ୍ୱାରା ଦାନ କରାଯାଇଥିବା ୨୩ଟି ସମ୍ପତି ନିଲାମ କରିବାକୁ ନିଷ୍ପତି ନେଇଛି ମନ୍ଦିର ପ୍ରଶାସନ । ଏହି ସମସ୍ତ ସମ୍ପତି ତାମିଲନାଡୁରେ ରହିଛି । ଏହି ସମ୍ପତିକୁ ନିଲାମ କରିବା ପାଇଁ ତିରୁମାଲା ତିରୁପତି ଦେବସ୍ଥାନ ବୋର୍ଡ ପକ୍ଷରୁ ଦୁଇଟି ସମିତି ଗଠନ କରାଯାଇଛି । ସେହିପରି ଏହି ସମ୍ପତିର ନିଲାମି ରାଶି ଦେଢ କୋଟି ଟଙ୍କା ରଖାଯାଇଛି ।
ପ୍ରବନ୍ଧନ ବୋର୍ଡ ଅନୁସାରେ ନିୟମିତ ଖର୍ଚ୍ଚ ବ୍ୟତିତ ସୁରକ୍ଷା ଏବଂ କର୍ମଚାରୀଙ୍କ ବେତନ ଦେବା ପାଇଁ ପାଖାପାଖି ୧୨୫ କୋଟି ଟଙ୍କା ଆବଶ୍ୟକ ପଡିଥାଏ । ମାତ୍ର ଦୁଇମାସ ହେବ ଜାରି ଥିବା ଲକ୍ ଡାଉନ୍ ଯୋଗୁଁ ମନ୍ଦିରକୁ କେବଳ ହୁଣ୍ଡିରୁ ହେଉଥିବା ୪୦୦ କୋଟି ଆଉ କ୍ଷତି ହୋଇଛି । ଭକ୍ତଙ୍କ ଦ୍ୱାରା କରାଯାଉଥିବା ଦାନ ହିଁ ମନ୍ଦିର ଆୟର ପ୍ରମୁଖ ସ୍ରୋତ । ଲକ୍ ଡାଉନ୍ ପାଇଁ ତାହା ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏବେ ଖାଲି ପଡୁଛି ମନ୍ଦିର ହୁଣ୍ଡି ।
ସେଥିପାଇଁ ଏବେ ମନ୍ଦିର ପ୍ରଶାସନକୁ କର୍ମଚାରୀଙ୍କ ବେତନ ଏବଂ ମନ୍ଦୀର ସହ ଜଡିତ ଅନ୍ୟ ଖର୍ଚ୍ଚ ତୁଲାଇବାରେ ସମସ୍ୟାର ସାମ୍ନା କରିବାକୁ ପଡୁଛି । ହୁଏତ ମନ୍ଦିର ପାଖରେ ପାଖାପାଖି ୯ ଟନ୍ ସୁନା ଏବଂ ୧୪ ହଜାର କୋଟି ଏଫଡି ରହିଛି, କିନ୍ତୁ ଏହାକୁ ବ୍ୟବହାର କରିବାକୁ ଚାହୁଁନି ପ୍ରଶାସନ ।