ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସକାଳ ୭ଟା ୮ଟା ଯାଏଁ ଠିକ ଅଛି । ତା’ ପରେ କିନ୍ତୁ ଅବସ୍ଥା ଖରାପ । ହେଉଛି ମୁଣ୍ଡଫଟା ଖରା । ଘରୁ ବାହାରିବାକୁ ଡର ଲାଗୁଛି । ଦେହମୁଣ୍ଡ ଜଳି ଯାଉଛି । ତା’ ସାଙ୍ଗକୁ ଯେମିତି ଗୁଳୁଗୁଳି ହେଉଛି ଅବସ୍ଥା ତ’ ଆହୁରି ସାଂଘାତିକ କରି ପକାଉଛି । ଲୋକେ ଖାଲି ଆଉଟୁ ପାଉଟୁ ହେଉଛନ୍ତି । ଖରା ନୁହେଁ ତ’ ଲାଗୁଛି ଆକାଶରୁ ଖାଲି ନିଆଁ ବର୍ଷୁଛି । ଏହି ସମସ୍ୟା ପୁଣି ଆହୁରି ଲାଗି ରହିବ ବୋଲି ସୂଚନା ମିଳିଛି ।
ସେ ଉପକୁଳ ଓଡିଶା ହେଉ କି’ ପଶ୍ଚିମ ଓଡିଶା ସବୁ ଯେପରି ଟକମକ ହୋଇ ଫୁଟୁଛି । ରାସ୍ତାଘାଟ କଥା ଦୁରେ ଥାଉ ଘର ଚଟାଣ ବି ତାତି ଯାଉଛି । ସିଧା କହିବାକୁ କଲେ ଦିନ ଯେତିକି ବଢ଼ୁଛି ତାତିର ପ୍ରକୋପ ମଧ୍ୟ ସେତିକି ବଢ଼ୁଛି । ସନ୍ଧ୍ୟା ଯାଏଁ ବହୁଥିବା ଗରମ ହାୱା ଲୋକଙ୍କୁ ଏବେ ଅଣନିଶ୍ୱାସି କରି ପକାଇଲାଣି । ଗତ କିଛିଦିନ ହେବ ଏମିତି କଲବଲ କରୁଛି ଖରା । ରାଜ୍ୟର ଅଧା ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଟପିଯାଉଛି । ଖାସ ଏଥିପାଇଁ ପାଣିପାଗ ବିଭାଗ ଜାରି କରିଛି ହିଟ ୱେଭ । ଅର୍ଥାତ ଆଗକୁ ଆହୁରି ତାତି ବଢ଼ିବ । ତେଣୁ ସର୍ତକ ରୁହନ୍ତୁ । ମୁଣ୍ଡଫଟା ଖରାଯୋଗୁ ଏବେ ରାସ୍ତାଘାଟ ମରିଚିକା ପାଲଟିଛି । ଅନ୍ୟପଟେ ପାଣିପାଗର ଏଭଳି ଲୁଚକାଳି ଖେଳକୁ ନେଇ ଦ୍ୱନ୍ଦରେ ପଡିଛି ଚାଷୀକୁଳ । ଧାନ ତଳି ପକାଇ ସାରିଥିବା ବେଳେ ଦେଖାନାହିଁ ବର୍ଷାର । ଅଧିକାଂଶ ସ୍ଥାନରେ ଜମି ଫାଟି ଆଁ କଲାଣି ।
ଏଭଳି ପରିସ୍ଥିତିରେ ଲୋକେ ଚାତକ ପରି ଏବେ ମୌସୁମୀକୁ ଚାହିଁ ବସିଛନ୍ତି । ରାଜଧାନୀ ଭୁବନେଶ୍ୱର ଗତକାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା । ଏହାସହ ୧୫ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା । ସୂଚନାଯୋଗ୍ୟ, ସପ୍ତାହରୁ ଅଧିକ ହେବ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଲୁଚକାଳି ଖେଳୁଥିବାରୁ ବର୍ଷା ଉଭାନ ହୋଇଯାଇଛି । ଫଳରେ ଖରାତାତି ବଢ଼ି ଚାଲିଛି ।