ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ମହଙ୍ଗା ପଡିଲା ବଟି ମାଗିବା । ହଜାର କି’ ଦୁଇହଜାର ଟଙ୍କା ନୁହେଁ ସିଧା ୧୦ଲକ୍ଷ ଟଙ୍କା । ଏକ ପ୍ରତିଷ୍ଠିତ କଲେଜରୁ ବଟି ମାଗୁଥିବା ଏହି ଅଭିଯୁକ୍ତମାନେ ପାଖାପାଖି ୫ଲକ୍ଷ ଟଙ୍କା ମଧ୍ୟ ନେଇ ସାରିଥିବା ସୂଚନା ମିଳିଛି । ତେବେ ବାକି ୫ଲକ୍ଷ ଟଙ୍କା ମିଳିବାରେ ବିଳମ୍ବ ହେବାରୁ ଏମାନେ କଲେଜ କର୍ତ୍ତୃପକ୍ଷଙ୍କୁ ଧମକ ଦେବା ଆରମ୍ଭ କରିଥିଲେ । ଏନେଇ ଅଭିଯୋଗ ହେବା ପରେ ଆଜି ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ । ଗିରଫ ଅଭିଯୁକ୍ତମାନେ ହେଲେ ଦେବାଶିଷ ନାୟକ ଓରଫ ବାପି, ରାଜନ୍ଦ୍ରେ ନାୟକ, ପବିତ୍ର ନାୟକ ଓ ନିଧିରାମ ସ୍ୱାଇଁ । ସବୁଠୁ ବଡ଼ କଥା ହେଉଛି ଏମାନେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କର୍ମୀ ବୋଲି ସୂଚନା ମିଳିଛି । ପୁଲିସ ରିପୋର୍ଟ ଅନୁସାରେ, ଢ଼େରଦିନ ହେବ ଏମାନେ ଏକ କଲେଜ କର୍ତ୍ତୃପକ୍ଷଙ୍କୁ ବଟି ଦେବା ଲାଗି ଧମକ ଦେଇଥିଲେ । ଯଦିଓ ପ୍ରଥମେ କଲେଜ କର୍ତ୍ତୃପକ୍ଷ ତାଙ୍କ କଥାକୁ ମାନିନେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏମାନଙ୍କ ସାହାସ ବଢ଼ିବାରେ ଲାଗିଥିଲା । ଏଥରକ ସିଧା ୧୦ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ ।
କର୍ତ୍ତୃପକ୍ଷ କାନମୁଣ୍ଡ ଆଉଁସି ୫ଲକ୍ଷ ଟଙ୍କା ଦେଇଥିଲେ ମଧ୍ୟ ସେଥିରେ ସେମାନେ ଶାନ୍ତି ହୋଇନଥିଲେ । ବାକି ୫ଲକ୍ଷ ଟଙ୍କା ଲାଗି ତାଙ୍କୁ ଧମକଚମକ ଦେବା ଆରମ୍ଭ କରିଥିଲେ । ଅଭିଯୋଗ ପାଇ ପୁଲିସ ଅଚାନକ ଚଢ଼ାଉ କରି ଏମାନଙ୍କୁ ଗିରଫ କରିଛି । ତେବେ ସ୍ମାଟସିଟିରେ ଓ ପୁଣି କମିଶନରେଟ ପୁଲିସ ଇଲାକାରେ ବଟି ମାଗିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।