ବ୍ରହ୍ମପୁର,(ଏଟିଆର ବ୍ୟୁରୋ) : ଯାହାକୁ ପାରୁଥିଲେ ତାକୁ ଟାର୍ଗେଟ କରୁଥିଲେ । ଆଖି ପିଛୁଳାକେ ଝାମ୍ପି ନେଇ ଚମ୍ପଟ ମାରୁଥିଲେ । ଗତ ଦୁଇମାସ ହେବ ଏମାନଙ୍କ ଉତ୍ପାତ ଢ଼େର ବଢ଼ିଯାଇଥିଲା । ଲୋକେ ପୂରା ଆତଙ୍କିତ ହୋଇପଡିଥିଲେ । ଏପରିସ୍ଥଳେ ଏମିତି ଏକ ଲୁଟେରା ଗ୍ୟାଙ୍ଗକୁ ପାନେ ଚଖାଇଛି ବ୍ରହ୍ମପୁର ପୁଲିସ । ପୂରା ବାୟୋଡାଟା ଖୋଜି ୪ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିଛି ।
ତେବେ ଏହି ଘଟଣାରେ ଆହୁରି ଅନେକ ସମ୍ପୃକ୍ତ ଥିବା ଜଣାପଡିଛି । ଖୁବ ଶୀଘ୍ର ସେମାନଙ୍କୁ ଜେଲ ଖୁଆଡକୁ ପଠାଯିବ ବୋଲି ପୁଲିସ ଯୋଜନା ଚଳାଇଛି । ତେବେ ଗିରଫ ଅଭିଯୁକ୍ତଙ୍କ ପାଖରୁ ବହୁ ସୁନା ଅଳଙ୍କାର ସମେତ ୨କେଜି ରୂପା ଓ ବନ୍ଧୁକ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଶିବ ମହାନ୍ତି,ସୁରେନ୍ଦ୍ର ପାଢ଼ୀ, ଅମିତ ଦାସ ଓ ସନ୍ତୋଷ ପାତ୍ର । ଏମାନଙ୍କ ନାଁରେ ପାଖାପାଖି ୮ଟି ମାମଲା ରୁଜୁ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡିଛି ।
ଏମାନଙ୍କୁ ଧରିବା ଲାଗି ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ ହେବା ସହ ଏକ ସ୍ପେଶାଲ ଡ୍ରାଇଭ ହୋଇଥିଲା । ଖାସ ଏଥିପାଇଁ ଆଜି ଏହି ଲୁଟେରା ଗ୍ୟାଙ୍ଗ ଧରାପଡିଛି । ସେପଟେ ସବୁଥର ପରି ଏଥର ମଧ୍ୟ ଜବତ ସୁନା ଅଳଙ୍କାରକୁ ଲୋକଙ୍କ ମଧ୍ୟରେ ବାଣ୍ଟି ଦେଇ ପୁଲିସ କେବଳ ଜନତାଙ୍କ ବନ୍ଧୁ ବୋଲି ଆଉ ଥରେ ପ୍ରମାଣ କରିଛି ବ୍ରହ୍ମପୁର ପୁଲିସ ।