ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଲାଗୁଛି ନିଜର ଦମ ଦେଖାଉଛନ୍ତି ଦାମ । ଟାର୍ଗେଟ କରୁଛନ୍ତି ଜଣଙ୍କ ପରେ ଜଣଙ୍କୁ । ଦାମଙ୍କ ପ୍ରଶ୍ନବାଣରେ ପୂରା ଘାଇଲା ଏବେ ଶାସକ ଦଳ । କେଉଁଠି, କେମିତି ଓ କାହା ଇଙ୍ଗିତରେ ଦୁର୍ନୀତି ସବୁ ହୋଇଛି ଦାମ ତାହାର ଗୋଟିଏ ପରେ ଗୋଟିଏ ପେଡି ଖୋଲି ଚାଲିଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି ଦାମଙ୍କୁ ଦଳରୁ ନିଲମ୍ବନ କରିବା ଲାଗି ଯୋଜନା ଚାଲିଥିବା ବେଳେ ଏହାକୁ ଆଦୌ ଖାତିର କରିନାହାନ୍ତି ପୂର୍ବତନ ମନ୍ତ୍ରୀ ଡା ଦାମଦୋର ରାଉତ । ବେଶ କିଛିଦିନ ହେବ ଏମିତି ଆକ୍ସନ ମୁଡକୁ ସେ ଆସିଥିବା ବେଳେ ଆଜି ପୁଣି ଦଳୀୟ ପ୍ରସଙ୍ଗରେ ସେ ଆଉ ଏକ ବାଣ ମାରିଛନ୍ତି ।
ସେ କହିଛନ୍ତି ‘ବିଜେଡି ଏବେ ଜଣେ ଅଫିସର ଓ ୩ଜଣ ବିଧାୟକଙ୍କ ଦ୍ୱାରା ପରିଚାଳିତ । ସିଧା କହିବାକୁ ଗଲେ ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ ଓ ପ୍ରଣବ ଦାସ(ବବି)ଙ୍କୁ ସେ ସିଧାସଳଖ ଟାର୍ଗେଟ କରିଛନ୍ତି । ଆଉ ସେ ଦଳରେ ନାହାନ୍ତି ବୋଲି ରୋକଠୋକ ଗଣମାଧ୍ୟମକୁ ସେ କହିଛନ୍ତି । ଏହାବାଦ ବିଷ୍ଣୁ ଦାସ, ପ୍ରଶାନ୍ତ ମୁଦୁଲିଙ୍କ ଉପରେ ମଧ୍ୟ କିଛି କମ ବର୍ଷିନାହାନ୍ତି ଦାମ ।
ସେ କହିଛନ୍ତି ରାଜ୍ୟ ସରକାର ପ୍ରତିବର୍ଷ ଜଗତସିଂହପୁର ଜିଲ୍ଲାକୁ ୧କୋଟି ୧୪ଲକ୍ଷ ଟଙ୍କାର ଗୋଟିଏ ‘କ୍ରିଟିକାଲ ଫଣ୍ଡ’ ଦିଅନ୍ତି । ଜିଲ୍ଲାରେ ୪ଟି ନିର୍ବାଚନ ମଣ୍ଡଳୀ ରହିଛି । ଚେୟାରମ୍ୟାନ ପ୍ରଶାନ୍ତ ମୁଦୁଲି ୩ବର୍ଷ ହେଲା ମୋ ନିର୍ବାଚନ ମଣ୍ଡଳୀକୁ ଏକ ନୂଆଁପଇସା ବି ଦେଇନାହାନ୍ତି । ଦାମଙ୍କ କହିବାନୁସାରେ, ବିଷ୍ଣୁଚରଣ ଦାସ ବିଧାୟକ ହୋଇନାହାନ୍ତି । ରାଜ୍ୟ ସଭାକୁ କେଇଦିନ ଯାଇଥିଲେ ଯେ ସେଠି ପଡିଗଲେ ଟିକେ ରକ୍ତ ବାହାରିପଡିଲା । ସେଠାରୁ ସେ ପଳାଇ ଆସିଲେ । ତାଙ୍କୁ ପ୍ଲାନିଂବୋର୍ଡର ଚେୟାରମ୍ୟାନ କରି ଦିଆଗଲା ।
ବୋର୍ଡର ଆନୁଆଲ ପ୍ଲାନ କେତେ ସେ କହିପାରିବେକି ନାହିଁ ମୁ ଜାଣିନି ବୋଲି ଦାମ କହିଛନ୍ତି । କେବଳ ଏତିକି ନୁହେଁ ଦାମ ଅତି କ୍ଷୋଭର ସହ କହିଛନ୍ତି କି’ ମୋ ଅଜାଣତରେ ମୋତେ ମନ୍ତ୍ରୀ ପଦରୁ କାଢ଼ି ଦିଆଗଲା । ଦଳୀୟ ଉଭସଭାପତି ଓ ପର୍ଯ୍ୟବେକ୍ଷକ ପଦରୁ ବି ବାହାର କରାଗଲା ।
ଆଉ କ’ଣ ଯେ ମୋ’ ପାଖରେ ଅଛି ମୋତେ କାଢ଼ିବେ ବୋଲି ପ୍ରଶ୍ନ କରିଛନ୍ତି ଦାମ । ସେ ଏହାମଧ୍ୟ କହିଛନ୍ତି ମୁଁ ଯେ ପର୍ଯ୍ୟନ୍ତ ବିଧାୟକ ଅଛି ସେ ପର୍ଯ୍ୟନ୍ତ ମୁଁ ବିଜୁ ଜନତା ଦଳର ବିଧାୟକ ଭାବେ ରହିବି । ଯେଉଁଦିନ ବିଜୁ ଶବ୍ଦ କଟିଯିବ ସେଦିନ ମୁଁ ଆଉ ନଥିବି ।