ତେଲେଙ୍ଗାନା,(ଏଟିଆର ବ୍ୟୁରୋ): ଚାହୁଁ ଚାହୁଁ ଘାଇ ତଳକୁ ଖସି ପଡିଲା ବସ । ଅକାଳେ ଚାଲିଗଲା ୬ଜଣ ଶିଶୁଙ୍କ ସମେତ ମୋଟ ୧୬ ଜଣଙ୍କ ଜୀବନ । ଏଭଳି ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି ତେଲେଙ୍ଗାନାର ଜାଗତିଆଳ ଅଞ୍ଚଳରେ । କେବଳ ଏତିକି ନୁହେଁ ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଆହତ ହୋଇଥିବା ନେଇ ସୂଚନା ମିଳିଛି ।
ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାଟି ପୂରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ରିପୋର୍ଟ ଅନୁସାରେ, କୋଣ୍ଡାଗାଟ୍ଟୁରୁ ଏକ ବସ ଜାଗତିଆଲ ଅଭିମୂଖେ ଆସୁଥିଲା । ତେବେ ସାନିଭାରପେଟ ଗାଁ ପାଖରେ ଥିବା ଏକ ଘାଟି ଉପରେ ବସଟି ଚଢ଼ିବା କ୍ଷଣି ଅଚାନକ ଭାରସାମ୍ୟ ହରାଇ ବସିଥିଲା । ଯେତେ ଚେଷ୍ଟା କରିଥିଲେ ବି ଡ୍ରାଇଭର ବସଟିକୁ ନିୟନ୍ତ୍ରଣ କରିପାରିନଥିଲେ । ଫଳରେ ବସଟି ସିଧା ଘାଟି ତଳକୁ ଖସି ପଡିଥିଲା ।
କୁହାଯାଉଛି ବସରେ ପାଖାପାଖି ୫୦ରୁ ଅଧିକ ଯାତ୍ରୀ ଥିଲେ । ସେପଟେ ଦିନ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ଶୁଣିବାକୁ ମିଳୁଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ।