ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଧମକ । ସିଧା ବୋମାପକାଇ ଉଡାଇ ଦେବାର ଧମକ ଦେଇଛନ୍ତି କେହି ଜଣେ ଅଜଣା ବ୍ୟକ୍ତି । ଏକ ଅଜଣା ନମ୍ବରରୁ ବିମାନବନ୍ଦର ଅଫିସକୁ ଆସିଥିବା ଏହି ଫୋନ କଲ ଏବେ ସବୁଠି ହଇଚଇ ସୃଷ୍ଟି କରିଛି । ଯାହାକୁ ଗୁରୁତର ସହ ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଛନ୍ତି । ଅଭିଯୋଗ ପାଇବା ପରେ ସମ୍ପୃକ୍ତ ନମ୍ବରକୁ ଆଧାର କରି ପୁଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି ।
ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏହି ଧମକ ଦେଇଛନ୍ତି ତାହା ସ୍ପଷ୍ଟ ହୋଇନି । ସେପଟେ ଏହି ଧମକ କଲ ଥରେ ଅଧେ ନୁହେଁ ବରଂ ଲଗାତାର ଦୁଇଦିନ ହେବ ଆସୁଥିବା ସୂଚନା ମିଳିଛି । ଗୋଟିଏ ପଟେ ବିମାନବନ୍ଦରରୁ ଲଗାତାର ସୁନା ଜବତ ହେବା ଘଟଣାରେ ହୁଏତ କେହି ସୁନା ସ୍ମଗଲର ଏଥିରେ ସମ୍ପୃକ୍ତ ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ୨୬ରେ କଟକ ଆସୁଥିବା ବେଳେ ଏଭଳି ଧମକ ପୂର୍ଣ୍ଣ କଲର କେଉଁଠି କିଛି ଲିଙ୍କ ରହୁନି ତ? ଏ ଦିଗରେ ମଧ୍ୟ ପୁଲିସ ଆରମ୍ଭ କରିଛି ତନାଘନା ।
ସୂଚନାଯୋଗ୍ୟ, ବିମାନବନ୍ଦର ନିର୍ଦ୍ଦେଶକ ଦିଲ୍ଲୀ ଯାଇଥିବା ବେଳେ ଏହି ଫୋନ କଲ ଅଫିସ ନମ୍ବରକୁ ଆସିଥିଲା । କଲଟିକୁ ତାଙ୍କ ପିଏ ରିସିଭ କରିବା ପରେ ଫୋନ କରିଥିବା ବ୍ୟକ୍ତି ସିଧାସଳଖ ବୋମା ପକାଇ ଉଡାଇ ଦେବାର ଧମକ ଦେଇଥିଲା । ଏନେଇ ଏଟିଆର ପକ୍ଷରୁ ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ ।