କେବେ ଅଛେ ଦିନର ସ୍ୱପ୍ନ ତ’ ପୁଣି କେବେ କଳାଧନ ରୋକିବାର ପ୍ରତିଶ୍ରୁତି । ସେଥିରେ ପୁଣି ବେଟି ବଚାଓ ବେଟି ବଢ଼ାଓ ସ୍ଲୋଗାନ । ପ୍ରତିଶ୍ରୁତି ଆଉ ସ୍ଲୋଗାନ ଭିତରେ ସତେ ଯେମିତି ଜୀବନ ଆଉ ସମୟ ଦୁଇଟାଯାକ ସରିଯାଉଛି । ଅବହେଳିତ ବର୍ଗ କୋଟା ନାଁରେ, ଆଉ ଶିକ୍ଷିତ ସୁରକ୍ଷା ନାଁରେ ଧୋକା ଖାଉଛି । ସିଧା କହିବାକୁ ଗଲେ ରାଜନୀତିର ପ୍ରତିଶ୍ରୁତି ଯେମିତି ପାଲଟିଛି ମରୁଭୁମିର ମରିଚିକା ।
ସତରେ କ’ଣ ଆସିବ ଅଛେଦିନ? ସତରେ କ’ଣ କୁନ୍ଦୁଲି ପୀଡିତା ଓ ଆସିଫା ଭଳି ଘଟଣାର ଦ ଏଣ୍ଡ ହେବ? ନା ଏଠି ହଜାର ହଜାର କୋଟିର ମାଲିକାନା ରଖିଥିବା ରାଜନେତା ସବୁଠାରୁ ଗରିବ ହେବାର ସତ୍ୟପାଠ ଦାଖଲ କରିଚାଲିଥିବେ । ପ୍ରଶ୍ନ ଅନେକ । କିନ୍ତୁ ଏହି ପ୍ରଶ୍ନ ସବୁଦିନର ନୁହେଁ । ଇଲେକ୍ସନ ଆସିବା ବେଳେ ମନକୁ ଆସେ ଆଉ ଇଲେକ୍ସନ ସରିବା ସହିତ ସରିଯାଏ । ହେଲେ ଏବେ ମନରେ ପ୍ରଶ୍ନ ପରିବର୍ତ୍ତନ ଆସିବ ତ? ଯଦି ଆସିବ ପରିବର୍ତ୍ତନର ରୂପ ଆଉ ନାଁ କ’ଣ ହେବ? କେବେ ଆମେ ନାୟକ ଫିଲ୍ମର ନାୟକଙ୍କୁ ପାଇବା? କେବେ କହିବା ଫଟା ପୋଷ୍ଟର ନିକଲା ହିରୋ ।
କିଛିଦିନ ହେଲା ଦେଖିବାକୁ ମିଳୁଛି ଏକ ଅଜବ ଘଟଣା । ରାଜନୀତିଠୁ ସବୁବେଳେ ନିଜକୁ ଦୂରରେ ରଖିଥିବା ଓ ରାଜନେତାଙ୍କ ସହିତ କୌଣସି ସମ୍ପର୍କ ରଖୁନଥିବା ଏମିତି ଜଣେ ସାଧାରଣ ଲୋକ । ଯିଏ ନିଜର ଜୀବିକା ସାମ୍ବାଦିକତାକୁ ନେଇ ଆରମ୍ଭ କରନ୍ତି । ପ୍ରତିଶ୍ରୁତି ଥାଏ ସମାଜକୁ ନୂଆ ରୂପ, ନୂଆ ଦିଗ ଆଉ ନୂଆ ଦିଶା ଦେବା । ସାମ୍ବାଦିକତା କ୍ଷେତ୍ରରେ କେବେ ତାଙ୍କୁ କ୍ୟାପଟେନ କୁଲ ବୋଲି କୁହାଯାଏ ତ’ ପୁଣି କେତେବେଳେ ମୁକୁଟ ବିହିନ ସମ୍ରାଟ । ସେତେବେଳେ ଏହି ସମ୍ୱାଦିକ ଚର୍ଚ୍ଚାର ଶିର୍ଷକୁ ଆସନ୍ତି ଯେବେ ପର୍ଦ୍ଦାଫାସ ହୁଏ ଭଣ୍ଡ ସାରଥୀର । ତାଙ୍କଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ସମାଜକୁ ଖାଲି ଭଣ୍ଡ ଲୋକଙ୍କଠୁ ମୁକ୍ତି ଦିଏନା ବରଂ ମୁକ୍ତି ଦିଏ ସୁରସାରଥୀ ଭଳି ଯୌନ କେଳାଙ୍କାରୀ ସାମ୍ରାଜ୍ୟ ବିସ୍ତାର କରିଥିବା ସମ୍ରାଟମାନଙ୍କ ଠାରୁ । ପୁଣି କେବେ ସାମ୍ବାଦିକ ସ୍ୱର ଉଠାଏ ଭୁବନେଶ୍ୱର ଉପକଣ୍ଠରେ ହେଉଥିବା ବ୍ୟବସାୟୀଙ୍କ କଳାବଜାରୀ ପାଖରେ । ଏଥିପାଇଁ ତାଙ୍କୁ ଅନେକ ଘାତ ଓ ପ୍ରତିଘାତର ସାମ୍ନା କରିବାକୁ ମଧ୍ୟ ପଡେ ।
ହେଲେ ନା କେବେ କ୍ୟାପଟେନ କୁଲ ଭାଙ୍ଗିପଡନ୍ତି ନା’ ତାଙ୍କୁ ଭଲପାଉଥିବା ଲକ୍ଷଲକ୍ଷ ଓଡିଆ । ଘଟଣା ଏକ ରୋଚକ ମୋଡ ନିଏ ଯେତେବେଳେ ପ୍ରତି ଗଳି ଆଉ ପ୍ରତି ଛକରେ ଦେଖିବାକୁ ମିଳେ ଏହି ସାମ୍ବାଦିକଙ୍କ ପୋଷ୍ଟର । ଜଣେ ନୁହେଁ, ଶହେ ନୁହେଁ, ହଜାର ହଜାର ଓଡିଆ ଶୁଭେଛୁ ଓ ସମର୍ଥକ ଗୋଟିଏ ସ୍ୱରରେ କହି ବୁଲନ୍ତି ସାମ୍ବାଦିକତା ବହୁତ କଲ, ସୁରକ୍ଷା ବି ଆମକୁ ଦେଲ । ହେଲେ ଆଉ ନୁହେଁ ଆମେ ଚାହୁଁ କିଛି ଅଧିକ । ଆମର ସ୍ୱର ବିଧାନସଭାରେ ଉଠିବା ଦରକାର । ଆମ ପାଇଁ ତମେ ବିଧାନସଭାକୁ ଯିବା ଦରକାର । ଆଶ୍ଚର୍ଯ୍ୟ କରେ ସାମ୍ବାଦିକଙ୍କୁ । ପ୍ରଥମେ ନା ନା କରୁଥିବା ଏ ସାମ୍ବାଦିକ ଜଣଙ୍କ ବାଧ୍ୟ ହୋଇପଡନ୍ତି ମୁଣ୍ଡ ନୁଆଁଇବାକୁ ତାଙ୍କର ହଜାର ହଜାର ସମର୍ଥକଙ୍କ ପାଖରେ । ଏହି ଘଟଣାର କେତେ ସତ୍ୟାସତ୍ୟ ଜାଣିବା ପାଇଁ ଆମେ ପହଁଚିଥିଲୁ ବହୁ ଚର୍ଚ୍ଚିତ ଓ ଖୁବ କମ ଦିନରେ ଅନେକ ସଫଳତା ହାସଲ କରିଥିବା ସାମ୍ବାଦିକ ଅର୍ଦ୍ଦେନ୍ଦୁ ଦାଶଙ୍କ ପାଖରେ । ତେବେ ତାଙ୍କଠୁ ଯାହା ଶୁଣିଥିଲୁ ସେଥିରେ ଆମେ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲୁ ତାଠୁ ଢ଼େର ଅଧିକ ତାଙ୍କ ପ୍ରତି ସମ୍ମାନ ବଢ଼ିଯାଇଥିଲା ।
ମୋଟା ଅଙ୍କର ବେତନ ପାଉଥିବା ଏହି ବରିଷ୍ଠ ସାମ୍ବାଦିକ ଅତ୍ୟନ୍ତ ବିନ୍ରମ ସ୍ୱରରେ କହିବା ଆରମ୍ଭ କରିଥିଲେ ଏ ଲଢ଼େଇ ଲୋକଙ୍କ ପାଇଁ । ଯେ କୌଣସି ରାଜନୈତିକ ଦଳର ଉଦ୍ଧ୍ୱର୍ରେ ରହି ସେ ଲଢ଼ିବେ ଲୋକଙ୍କ ସ୍ୱାଥଁ ପାଇଁ । ଅର୍ଥ ନା’ କୌଣସି ପ୍ରକାର ପ୍ରଲୋଭନରେ ସେ ହେବେ ପ୍ରଲୋଭିତ । ଲୋକଙ୍କ ସ୍ୱାର୍ଥ ପାଇଁ ସବୁବେଳେ ସହଯୋଗର ହାତ ବଢ଼ାଇଥିବା ଏହି ସାମ୍ବାଦିକ ଏଥର ସ୍ୱର ଉତ୍ତେଳନ କରିବେ ସାଧାରଣ ଲୋକଙ୍କ ଲାଗି । ଜିତିବା ହାରିବା ତ’ ଅଲଗା କଥା ହେଲେ ଲୋକଙ୍କ ସେବା ତାଙ୍କୁ ଦେବ ଆତ୍ମସନ୍ତୋଷ । ଲୋକଙ୍କ କାମ କରିବାରୁ କେହି ଯେ ତାଙ୍କୁ ନିବୃତ କରିପାରିବ ନାହିଁ ଏଥିରେ ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଦୁର୍ନୀତି ଶୋଷଣ କଳାବଜାରୀର ଏଥର ଜବନିକା ପଡିବ ।
ସାମ୍ବାଦିକ କ୍ଷେତ୍ରରେ ସ୍ଥିର ଓ ସ୍ଥାୟୀ ବ୍ୟକ୍ତିତ୍ୱ ଭାବରେ ପରିଚିତ ହୋଇଥିବା ସାମ୍ବାଦିକ ଏବେ ସ୍ଥିର ଓ ସ୍ଥାୟୀ ରାଜନେତା ଭାବରେ ପରିଚିତ ହେବେ । ନିଜ ହୋମଗ୍ରାଉଣ୍ଡ ଜଟଣୀ ନିର୍ବାଚନ ମଣ୍ଡଳୀରୁ ସେ ବିଧାୟକ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦିତା କରିବେ ବୋଲି ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି । କହିବାକୁ ଗଲେ ଏଥରକ କ୍ୟାପେଟନ କୁଲ ହେବେ କୁଲ ପଲିଟିସିଆନ । ତେବେ କ’ଣ ରହିବ ତାଙ୍କର ଷ୍ଟ୍ରାଟେଜି ତାହା ଆମେ ପରବର୍ତ୍ତି ସମୟରେ ପ୍ରକାଶ କରିବୁ ।……..ରିପୋର୍ଟ: ପ୍ରଶାନ୍ତ କୁମାର ମିଶ୍ର