ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ତେଲ ଦର ବୃଦ୍ଧିକୁ ନେଇ କମ୍ପିଲା ବିଧାନସଭା । କମ୍ପିଲେ କଂଗ୍ରେସ ବିଧାୟକ । ସ୍ଳୋଗାନ ମଧ୍ୟମରେ ବିଜେପିକୁ ନିନ୍ଦା କଲେ କଂଗ୍ରେସ ବିଧାୟକ । ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି କଂଗ୍ରେସ ବିଧାୟକ ଦେଲେ ବିଜେପି ବିରୋଧୀ ନାରା । ସମଗ୍ର ଦେଶରେ ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ବିଧାୟକ ମାନେ ବିଧାନସଭାରେ ହଙ୍ଗାମା କରିଛନ୍ତି । ଆଜି ଗୃହ ଆରମ୍ଭ ହେବା କ୍ଷଣି ତେଲ ଦର ବୃଦ୍ଧିକୁ ନେଇ ତାତି ଉଠିଥିଲେ କଂଗ୍ରେସ ବିଧାୟକଗଣ । ଫଳରେ କାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ।
ଖାଲି ସେତିକି ନୁହେଁ ଆଜି ବିଧାନସଭାରେ ଶାସକ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ସମବାୟ ଦୁର୍ନୀତି ପ୍ରସଙ୍ଗକୁ ଉଠାଇ ବିଜେପି କଲା ହଙ୍ଗାମା । ଶାସକ ବିଜେଡିକୁ ସମବାୟ ଦୁର୍ନୀତି ପ୍ରସଙ୍ଗରେ ବହୁ ପ୍ରଶ୍ନ କରିଛି ବିଜେପି । ଗୃହରେ ଉଭୟ କଂଗ୍ରେସ ଓ ବିଜେପରି ହଙ୍ଗାମାରେ ଶେଷରେ ଅତିଷ୍ଠ ହୋଇ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବି କଲେ ବାଚସ୍ପତି । ଆଜି କଂଗ୍ରେସର ଭାରତ ବନ୍ଦ ଡାକରାର ପ୍ରଭାବ ସାରା ଦେଶରେ ଦେଖିବାକୁ ମିଳିଥିଲା । ଓଡିଶାରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଅନେକ ମାତ୍ରାରେ ଦେଖିବାକୁ ମିଳିଛି । ଆଜି ବିଧାନ ସଭାକୁ ବହୁ ବିଧାୟକ ଭିନ୍ନ ଭିନ୍ନ ଢଙ୍ଗରେ ଆସିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ବାଇକରେ ବିଧାନସଭା ଆସିଥିବା ବେଳେ କେହି କେହି ପାଦରେ ଚାଲି ଚାଲି ବିଧାନସଭାରେ ପହଞ୍ଚିଛନ୍ତି । ସେହିପରି ଖୋଦ ମୁଖ୍ୟ ମନ୍ତ୍ରୀ ମଧ୍ୟ କଡା ସୁରକ୍ଷା ବଳୟ ମଧ୍ୟରେ ବିଧାନ ସଭାକୁ ଆସିଛନ୍ତି । ଭାରତ ବନ୍ଦ କାରଣରୁ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମିନିଟ ବିଳମ୍ବରେ ପହଞ୍ଚିଛନ୍ତି ।