ଭୁବନେଶ୍ୱର, ୯ା୨/(ବ୍ୟୁରୋ): ଯିଏ ଯେମିତି ପାରିଲା ସେକିଲା । କିଏ ଗୋଡାଇ ଗୋଡାଇ ତ’ ଆଉ କିଏ ଡ୍ରେନ୍ ରେ ପକାଇ ନିର୍ଘାତ ଛେଚୁଛି । ର୍ଦୁଭାଗ୍ୟ ଯେଉଁ ଟିକକ ସମ୍ମାନ ଥିଲା ଏମିତି ମାଡ଼ରେ ତାହା ଏବେ ଉଭାନ ହୋଇଗଲାଣି ବୋଲି ସହରରେ ଚର୍ଚ୍ଚା । ଆମେ କହୁଛୁ ଲୋକଙ୍କୁ ଉଇ କେୟାର ଉଇ ଡେୟାର ନାରା ଦେଇ ଛାତି ପୁଲାଇ ବୁଲୁଥିବା କମିଶନରେଟ ପୁଲିସ କଥା । ଏଇ କିଛିବର୍ଷ ହେବ ସହରବାସୀଙ୍କଠୁ ମାଡ଼ ଖାଇ ପୁଲିସ ଲହୁଲୁହାଣ ହେଲାଣି ।
କିନ୍ତୁ ଘଟଣା କମିବାର ନା ଗନ୍ଧ ଧରୁନାହିଁ । ଅନ୍ୟକୁ ସୁରକ୍ଷା ଦେବା କଥା ଦୂରେ ଥାଉ ଏବେ ପୁଲିସ ନିଜ ସୁରକ୍ଷା ନିଜେ କରୁ ବୋଲି ଲୋକେ କହୁଛନ୍ତି । ଗତ ୨ଦିନ ତଳେ ଏକ ଦୁର୍ଘଟଣାକୁ କେନ୍ଦ୍ରକରି ସିଆରପି ଛକରେ ପୁଲିସକୁ ନିସ୍ତୁକ ଛେଚିଲେ ଲୋକେ । ଏହାର ଠିକ୍ ଗୋଟାଏ ଦିନ ପୂର୍ବରୁ ବାଲିଅନ୍ତାରେ ବି ସମାନ ଦଶା ଭୋଗିଲେ ଜୈନିକ ଏସ୍ଆଇ । ଉତ୍ତ୍ୟକ୍ତ ଲୋକେ ପକେଇ ଉଠେଇ ଏମିତି ମାରିଲେ ଯେ, ଏସଆଇଙ୍କ ନାକ ଫାଟି ରକ୍ତ ବୋହିଲା । ସବୁଠୁ ବଡ଼କଥା ଥିଲା ଉଭୟ ଘଟଣାରେ ପୁଲିସର ଗୋଟିଏ ଲାଖୁନାକୁ ଲୋକେ ଆଗକୁ ଆଣିଥିଲେ । ତାହା ଥିଲା ଡ୍ୟୁଟି ସମୟରେ ବାବୁମାନେ ମଦ ପିଇଥିଲେ ।
ମଦ ପିଇବା ପରେ ଡ୍ୟୁଟିକୁ ଧର୍ମଶାଳା ବୋଲି ଭାବି ଶେଷରେ ସେକା ଖାଇଥିଲେ ଏହି ପୁଲିସବାବୁ । ଏତିକିରେ କଥା ସରିନାହିଁ ହଳଦୀପଡିଆ ବସ୍ତିରେ ପୁଲିସର ବାର ବଜାଇଦେଇଥିଲେ ସ୍ଥାନୀୟ ଲୋକେ । ଜଣେ ଏସଆଇଙ୍କୁ ନର୍ଦ୍ଦମାରେ ଏମିତି ପକାଇ ପିଟିଥିଲେ ଯେ, ଉଠିବାକୁ ତାଙ୍କୁ ମାସେ ଲାଗିଗଲା । ସେହି ଘଟଣାରେ ଥାନା ଅଧିକାରୀ ବି ବର୍ତ୍ତି ନଥିଲେ । ତାଙ୍କୁ ବି ମହିଳାମାନେ ଗୋଡାଇ ଗୋଡାଇ ପିଟିଥିଲେ । ବାରମ୍ବାର ଏପରି ଘଟଣାକୁ ନେଇ ଏବେ ପୁଲିସର ବିଶ୍ୱାସନିୟତା ଉପରେ ପ୍ରଶ୍ନବଚାରୀ ସୃଷ୍ଟି ହୋଇଛି । ସେହି ଭରସା ଆଉ ସେହି ବିଶ୍ୱାସ ଲୋକଙ୍କର ଆଉ ରହିବ ତ’ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ତେବେ ଯାହା ହେଉ ବରିଷ୍ଠ ଅଧିକାରୀ ଏହା ଉପରେ ଦୃଷ୍ଟି ଦେଇ କଡ଼ା ପଦକ୍ଷେପ ନେଲେ ଆଗକୁ ଏଭଳି ସମସ୍ୟା ହେବ ନାହିଁ ବୋଲି ମତ ପ୍ରକାଶ ପାଇଛି ।