ଭଦ୍ରକ,(ଏଟିଆର ବ୍ୟୁରୋ): ମଦ ଦୋକନ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ । ଭୁଜାଲିରେ ହାଣି ଲହୁଲୁହାଣ କରିବା ପରେ ଦୁର୍ବୃତ୍ତମାନେ ପ୍ରାୟ ଦେଢ଼ଲକ୍ଷ ଟଙ୍କା ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଅଞ୍ଚଳରେ । ସେପେଟ ଏନେଇ ଅଭିଯୋଗ ପାଇବା ପରେ ଯଦିଓ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ହେଲେ ଏଯାବତ ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।
ତେବେ ବିଚ ରାସ୍ତାରେ ଏପରି ଆକ୍ରମଣ କରି ଲୁଟ ଘଟଣା ଭଦ୍ରକ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ପୁଲିସର ପାଟ୍ରୋଲିଂ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଛିଡା କରିଛି । ମିଳିଥିବା ରିପୋର୍ଟ ଅନୁସାରେ, ଭଦ୍ରକ କଚେରି ଛକରେ ଥିବା ଏକ ବିଦେଶୀ ମଦ ଦୋକାନରେ କାମ କରନ୍ତି ଡଗମୁଣ୍ଡା ଅଞ୍ଚଳର ଦିନବନ୍ଧୁ ନାୟକ । ସବୁଦିନ ପରି ଗତକାଲି ରାତି ପ୍ରାୟ ୧୧ଟାରେ ସେ ଘରକୁ ଫେରୁଥିଲେ । ହେଲେ ଅଚାନକ ୩ଜଣ ଦୁର୍ବୃତ୍ତ ଡିଆରଡିଏ ପାଖରେ ତାଙ୍କୁ ଅଟକାଇଥିଲେ ।
କିଛି ବୁଝିବା ପୂର୍ବରୁ ସେମାନେ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିବାକୁ ଉଦ୍ୟମ କରିଥିଲେ । ଦିନବନ୍ଧୁ ଏହାର ପ୍ରତିବାଦ କରିବାରୁ ଜଣେ ଦୁବତ୍ତ୍ ଅଚାନକ ତାଙ୍କୁ ଏକ ଭୁଜାଲିରେ ଆକ୍ରମଣ କରିଥିଲା । ଆକ୍ରମଣ ପରେ ସେମାନେ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଥିବା ଦିନବନ୍ଧୁ ପୁଲିସକୁ ଜଣାଇଛନ୍ତି । କେବଳ ଏତିକି ନୁହେଁ ସେମାନେ ଏକ କଳା ରଙ୍ଗର ପଲସର ବାଇକରେ ଆସିଥିବା ନେଇ ପୁଲିସକୁ ସୂଚନା ଦେଇଛନ୍ତି ଦିନବନ୍ଧୁ ।