ବ୍ରହ୍ମପୁର,(ସ୍ୱତନ୍ତ୍ର ପ୍ରିତିନିଧି): ପୁଲିସକୁ ପୁଲିସର ଧମକ । ତାହା ପୁଣି ମିଛ ରେପ କେସ । କଥାଟା ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏମିତି କିଛି ଘଟଣା ଏବେ ବ୍ରହ୍ମପୁରରେ ଚର୍ଚ୍ଚାର ବିଷୟ ହୋଇଛି । ଜାଣିଲେ ଚକିତ ହେବେ ଏହି ଧମକ ଦେଇଛନ୍ତି ଖୋଦ ବଡ଼ବଜାର ଥାନା ଅଧିକାରୀ । ତାହା ପୁଣି ନିଜ ସ୍ୱାର୍ଥ ଲାଗି । ସଦରଥାନା ଅଧିକାରୀଙ୍କ ଭୁଲ ଥିଲା ଏତିକି ସେ ବଡ଼ବଜାର ଅଞ୍ଚଳରେ ଚାଲିଥିବା ଏକ ବେଆଇନ ଗୁଟଖା କାରବାର ଉପରେ ଅଚାନକ ରେଡ ମାରିଥିଲେ । ଯାହା ଭାରି ବାଧିଥିଲା ବଡ଼ବବଜାର ଥାନା ଅଧିକାରୀଙ୍କୁ । ମିଳୁଥିବା ମୋଟା ଅଙ୍କର ବଟି ବନ୍ଦ ହେଉ ଅବା କୌଣସି ସ୍ୱାର୍ଥରେ ବାଧା ଉପୁଜିବା ଆଶଙ୍କାରେ ଏକଦମ ତାତି ଯାଇଥିଲେ ବଡ଼ବଜାର ଥାନା ଅଧିକାରୀ । ଆଗପଛ ବିଚାର ନକରି ଖୁବ ଶୁଣାଇଥିଲେ ତାଙ୍କୁ ।
ଏତିକି ନୁହେଁ ଆଗକୁ ଏମିତି ହେଲେ ମିଛ ରେପ କେସରେ ଫସାଇ ଦେବେ ବୋଲି ସିଧା ଚେତାବନୀ ଦେଇଥିଲେ । ଯାହାପାଇଁ କମ ହିନସ୍ତା ହୋଇନାହାନ୍ତି ସଦରଥାନା ଅଧିକାରୀ । ଏଟିଆର ଅନୁସନ୍ଧାନରୁ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ପଦାକୁ ଆସିଛି ।ପ୍ରତେକ୍ଷରେ ନହେଲେ ବି ପରୋକ୍ଷରେ ଏଥିରେ ମୁଣ୍ଡ ଟୁଙ୍ଗାରିଛନ୍ତି ସଦରଥାନା ଅଧିକାରୀ । ତେବେ ଏଠି ପ୍ରଶ୍ନ ନକଲି ଗୁଟଖା ବେପାରୀଙ୍କ ପ୍ରତି ବଡ଼ବଜାର ଥାନା ଅଧିକାରୀଙ୍କ ଏତେ ଦରଦ କାହିଁକି? କେଉଁ ସ୍ୱାର୍ଥରେ ସଦରଥାନା ଅଧିକାରୀଙ୍କୁ ସେ ଏମିତି ଧମକ ଦେଲେ? ଏନେଇ ବରିଷ୍ଠ ଅଧିକାରୀ କାହିଁକିି ବା ଚୁପ ରହିଲେ? ବଡ଼ବଜାର ଥାନା ଅଧିକାରୀଙ୍କ ସହ ବିଭାଗର କେଉଁ ବରିଷ୍ଠ ଅଧିକାରୀଙ୍କ ହାତ ରହିଛି କି? ଏମିତି ହଜାର ପ୍ରଶ୍ନ ଏବେ ସାଧାରଣ ଲୋକଙ୍କୁ ଆନ୍ଦୋଳିତ କରୁଛି ।
ବିଚ ବଜାରେ ଚାଲୁଛି ନକଲି ଗୁଟଖା କାରବାର । ଖୁଲମ ଖୁଲ୍ଲା ଲାଗୁଛି ବେଟିଂ । ଏତିକି ନୁହେଁ ଯାବତୀୟ ଅପମିଶ୍ରଣ କାର୍ଯ୍ୟର ପେଣ୍ଠସ୍ଥଳୀ ପାଲଟିଛି ବଡ଼ବଜାର ଥାନା ଅଞ୍ଚଳ । ଏ କଥା ଆମେ ନୁହେଁ ବରଂ ଲୋକେ ସୂଚନା ଦେଇଛନ୍ତି । କିନ୍ତୁ ର୍ଦୁଭାଗ୍ୟ ରୋକ ଲଗାଇବାକୁ ଅଣ୍ଟାରେ ବଳନାହିଁ ବଡ଼ବଜାର ପୁଲିସର । କେବଳ କେରାଣ୍ଡିଙ୍କୁ ଧରି ଯାହା ନିଜର ପାରିବା ପଣିଆ ଦେଖାଉଛି । ସମସ୍ତ ଘଟଣାରେ ଜଡିତ ମାଷ୍ଟରମାଇଣ୍ଡଙ୍କ ସୁରାକ ମିଳୁଥିଲେ ବି ଜାଣିଶୁଣି ଥାନା ଅଧିକାରୀ ଚୁପ ରହୁଥିବା ସ୍ଥାନୀୟ ଲୋକେ ଏଟିଆରକୁ ସୂଚନା ଦେଇଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ନକଲି ଗୁଟଖା କାରବାର ଉପରେ ରୋକ ଲଗାଇବାକୁ ଯାଇ ଅଯଥାରେ ବହୁ ହଇରାଣ ହୋଇଥିଲେ ସଦର ଥାନା ଅଧିକାରୀ । ଶୁଣିବାକୁ ମିଳୁଛି ଏହି ନକଲି ବ୍ୟବସାୟୀଙ୍କୁ ହାତ କରି ମାଲେମାଲ ହେଉଛନ୍ତି ବଡ଼ବଜାର ଥାନା ଅଧିକାରୀ । ଖାସ ଏଥିପାଇଁ ସେ ଥାନା ଛାଡି ଯିବାକୁ ନାରାଜ । ଆମେ ଏଥିପାଇଁ ଏକଥା କହୁଛୁ କାରଣ ବଦଳି ଅର୍ଡର ୪ମାସ ହେଲା ମିଳିସାରିଥିଲେ ବି ବାବୁ ଗାଦି ନଛାଡିବା କେଉଁଠି ନା କେଉଁଠି ଏହାର କିଛି ଲିଙ୍କ ଥିବାର ପ୍ରମାଣ ଦେଉଛି । ସବୁଠୁ ବଡ଼ କଥା ହେଉଛି କେତେକ ବରିଷ୍ଠ ଅଧିକାରୀଙ୍କୁ ତେଲ ମାରି ଏଠାରେ ସେ ନିଜର ଆସ୍ଥାନ ଜମାଇ ରଖିଥିବା ଲେକେ କୁହାକୁହି ହେଉଛନ୍ତି ।
ସୂଚନାଯୋଗ୍ୟ, ଏବେକାର ଡିଆଇଜି ବା ତକ୍ରାଳୀନ ଏସପି ଆଶିଷ ସିଂହ ପୂର୍ବରୁ ଏହି ବେଆଇନ କାରବାର ଉପରେ ଲଗାତାର ଚଢ଼ାଉ କରିଥିଲେ । ଯାହାକୁ ନେଇ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଥିଲା ଦୋନମ୍ବରୀ କାମ କରୁଥିବା ଲୋକଙ୍କ ମଧ୍ୟରେ । ସିଧା କହିବାକୁ ଗଲେ ଏକ ପ୍ରକାର ବନ୍ଦ ହୋଇଯାଇଥିଲା ନକଲି ବ୍ୟବସାୟ । ଏବେ କିନ୍ତୁ ପୁଣି ଦୋନମ୍ବରୀ ବ୍ୟବସାୟ ବେଧଡକ ଚାଲିଛି । ଥାନାକୁ ସାଲିସ କରି ଏହି କାରବାର ଚାଲିଥିବା ଅଭିଯୋଗ ହୋଇଛି । ତୁରନ୍ତ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି ।