ରାଉରକେଲା,(ଏଟିଆର ବ୍ୟୁରୋ): ପୁଣି ବ୍ୟାଙ୍କକୁ ଟାର୍ଗେଟ କଲେ ଦୁର୍ବୃତ୍ତ । ମ୍ୟାନେଜରକୁ ମାଡ଼ ସହ ଲୁଟିଲେ ୪୪ଲକ୍ଷ ଟଙ୍କା । କେବଳ ଏତିକି ନୁହେଁ ଦୁର୍ବୃତ୍ତମାନେ ଏତେ ଚାଲାକ ଯେ, ପୁଲିସ ହାବୁଡରେ ବଞ୍ଚିବା ଲାଗି ସେମାନେ ଗଲାବେଳେ ସିସିଟିଭି ହାଡଡିକ୍ସ ନେଇଯାଇଛନ୍ତି । ସକାଳୁ ସକାଳୁ ଏଭଳି ଏକ ଡକାୟତୀ ପୁଲିସର ପାରିବା ପଣିଆକୁ ପଦାରେ ପକାଇଛି । ଘଟଣାଟି ରାଉରକେଲା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୂରା ଘଟଣାରେ ବ୍ୟାଙ୍କର କେହି କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ସେପଟେ ଘଟଣା ପରେ ରାଉରାକେଲା ଏସପି ପହଞ୍ଚି ଖୋଳତାଡ ଆରମ୍ଭ କରିଛନ୍ତି ।
ମିଳିଥିବା ରିପୋର୍ଟ ଅନୁସାରେ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ବଜାର ଶାଖାକୁ ଟାର୍ଗେଟ କରାଯାଇଛି । ୮ଜଣ ଦୁର୍ବୃତ୍ତ ସକାଳୁ ସକାଳୁ ଏଭଳି କାଣ୍ଡ ଭିଆଇଛନ୍ତି । ସକାଳ ସାଢ଼େ ୯ଟାରେ ବ୍ୟାଙ୍କର ପିଅନ, ଡେପୁଟି ମ୍ୟାନେଜର ଓ ସିନିୟର ମ୍ୟାନେଜର ପହଞ୍ଚି ବ୍ୟାଙ୍କ ଖୋଲିଥିଲେ । ତେବେ ଏହି ସମୟରେ ଅଚାନକ ଦୁର୍ବୃତ୍ତମାନେ ପହଞ୍ଚିଥିଲେ । କେହି କିଛି ବୁଝିବା ପୂର୍ବରୁ ସେମାନେ ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭିତ କରିବା ସହ ଷ୍ଟୋର ରୁମରେ ପୂରାଇ ଦେଇଥିଲେ । ପରେ ଲକର ଚାବି ନେଇ ଲୁଟ କରିଥିଲେ ୪୪ଲକ୍ଷ ଟଙ୍କା । ତେବେ ଯଦିଓ ଏହି ସମୟରେ କେତେକ ଲୋକ ସେଠାରେ ପହଞ୍ଚିଥିଲେ ସେମାନଙ୍କୁ ବି ଛାଡିନଥିଲେ ଦୁର୍ବୃତ୍ତ ।
ବନ୍ଧୁକ ଦେଖାଇ ଭୟଭିତ କରିବା ସହ ସେମାନଙ୍କୁ ମଧ୍ୟ ଷ୍ଟୋର ରୁମରେ ପଶାଇ ଲକ କରିଦେଇଥିଲେ । ଏହାପରେ ଗଲାବେଳେ ସେମାନେ ସିସିଟିଭିକୁ ଭଙ୍ଗାରୁଜା କରିବା ସହ ହାଡଡିକ୍ସ ନେଇଯାଇଥିବା ଅଭିଯୋଗ ହୋଇଛି । ପୁଲିସ ପହଞ୍ଚି ଘଟଣାର ଖୋଳତାଡ ଆରମ୍ଭ କରିଛି ।