ଗାଇସିଲାଟ,(ଏଟିଆର ବ୍ୟୁରୋ): ଗାଁ ଦାଣ୍ଡ ଏପରିକି ବିଚ ରାସ୍ତାରେ ବୃଦ୍ଧାଙ୍କୁ ଘୋଷାରୀ ଘୋଷାରୀ ନେଉଛନ୍ତି ମହିଳା । ବୋଉଲୋ ମରିଗଲି କହି ଚିକ୍ରାର କରୁଛନ୍ତି ବୃଦ୍ଧା । ହେଲେ ମହିଳା କିଛି ଶୁଣୁନାହାନ୍ତି । ଏ କଥା ନୁହେଁ ଯେ, ଏ ସମ୍ପର୍କରେ ଆଖପାଖ ଲୋକ କେହି କିଛି ଜାଣି ନାହାନ୍ତି । ବରଂ ଦୁଃଖର କଥା ସମସ୍ତେ ଦେଖିକି ବି ଚୂପ ରହିଛନ୍ତି । ସିଧା କହିବାକୁ ଗଲେ କିଏ ଝରକା ଫାଙ୍କରେ ତ’ ପୁଣି କିଏ ଛାତ ଉପରେ ରହି ପୂରା ଘଟଣାକୁ ଦେଖିଛନ୍ତି ।
ଆଉ ବିଚ ବଜାରରେ କୋହଭରା କଣ୍ଠରେ ଜୀବନ ଭିକ୍ଷା କରୁଛନ୍ତି ବୃଦ୍ଧା । ସର୍ବ ସମ୍ମୁଖରେ ଆଜି ମା’ଟି ଏଭଳି ଲାଞ୍ଛିତ ହୋଇଛି । ଏଭଳି ହୃଦୟ ବିଦାରକ ଘଟଣା ନଜରକୁ ଆସିଛି ବରଗଡ଼ ଜିଲ୍ଲା ଗାଇସିଲାଟ ଗାଁରେ । ବୃଦ୍ଧା ଜଣଙ୍କ ହେଉଛନ୍ତି ଶାଶୁ ଓ ତାଙ୍କୁ ନିର୍ଯ୍ୟାତନା ଦେଉଥିବା ମହିଳା ହେଉଛନ୍ତି ତାଙ୍କ ବୋହୂ । ଯେଉଁ ବୋହୂକୁ ଇଶାଣରେ ପାଣି ଦେବା ଲାଗି ଘରକୁ ଆଣିଥିଲେ ଆଜି ସେହି ବୋହୂ ବିଚ ରାସ୍ତାରେ ଟାଣିଟାଣି ତାଙ୍କ ଦେହରୁ ରକ୍ତ ନିଗାଡି ଦେଇଛି । ପୂରା ଦୃଶ୍ୟ ବୟାନ କରୁଛି ସବୁ ସୀମା ଟପିଯାଇଛନ୍ତି ମହିଳା ଜଣଙ୍କ । ତେବେ ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାକୁ ସବୁ ସ୍ତରରେ ନିନ୍ଦା କରାଯାଇଛି । ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇଛି କି’ ନାହିଁ ତାହା ଜଣାପଡିନାହିଁ ।