ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସତ ଲେଖିବାରୁ ଫାଟିଲା । ଘରେ ପଶି ଧମକ ଦେଲେ । ଏ ହେଉଛି ସେହି କରିତକର୍ମା କନଷ୍ଟେବଳଙ୍କ କଥା । ଯିଏକି ପୂରା ଅଞ୍ଚଳକୁ ଖୋଳ କରୁଛନ୍ତି । ଆଉ ଅଠା ବୋଳୁଛନ୍ତି ନୂଆ କରି ଆସିଥିବା ଆଇଆଇସିଙ୍କ ମୁଣ୍ଡରେ । ତେବେ ଏନେଇ ଏଟିଆର ସମ୍ପୃକ୍ତ କନଷ୍ଟେବଳଙ୍କ ଭାଣ୍ଡା ଫୋଡ କରିବା ପରେ ବୁଦ୍ଧିବାଟ ହଜିଯାଇଥିଲା କନଷ୍ଟେବଳଙ୍କର । ଉପାୟଶୂନ୍ୟ ହୋଇ ଏବେ ସିଧା ସେ ନିଜ ଔକାତ ଦେଖାଇଛନ୍ତି । ଘରେ ପଶି ପ୍ରଥମେ ମଦ ଓ ମାଂସ ଅଫର ଦେଇ ନିରାଶ ହେବା ପରେ ଶେଷରେ ସିଧା ହତ୍ୟା ଧମକ ଦେଇଛନ୍ତି । ଯାହାର ଏକ୍ସକ୍ଲ୍ୟୁସିଭ ସିସିଟିଭି ଫୁଟେଜ ଏବେ ହସ୍ତଗତ ହୋଇଛି ।
ଏବେ ପ୍ରଶ୍ନ ଜଣେ ପୁଲିସ କର୍ମଚାରୀ ହୋଇ ଗୁଣ୍ଡାଗିରି ଦେଖାଇବାର ମାନେ କଣ? ଯଦି ସେ କୌଣସି ଭୁଲ କାର୍ଯ୍ୟ କରିନାହାନ୍ତି ତେବେ ବିଚଳିତ ହେଉଛନ୍ତି କାହିଁକି? ମଦ ମାଂସର ଅଫର ଦେବା ପଛର ତାଙ୍କର ଉଦ୍ଦେଶ୍ୟ କଣ? ଏ ତମାମ ପ୍ରଶ୍ନ ପ୍ରମାଣ କରୁଛି ସମ୍ପୃକ୍ତ କନଷ୍ଟେବଳଙ୍କ ନାଁରେ ଉଠୁଥିବା ଅଭିଯୋଗର ସତ୍ୟାସତ୍ୟ କେଉଁଠି ନା’ କେଉଁଠି ଲୁଚି ରହିଛି । ପୂରା ଘଟଣାଟି ଏହିପରି, କମିଶନରେଟ ପୁଲିସକୁ ଆସିଥିବା ଜଣେ ନୂତନ ଥାନା ଅଧିକାରୀଙ୍କୁ ବଦନାମ କରାଯାଉଥିଲା । ଜଣେ କନଷ୍ଟେବଳ ଖୋଦ ଆଇଆଇସିଙ୍କ ନାଁ କହି ସ୍ଥାନୀୟ ଅଞ୍ଚଳରୁ ଚାନ୍ଦା ଆଦାୟ କରୁଥିଲେ । ସେ ମଲ ହେଉ କି’ ବାର, ସବୁଠି ମୋଟା ମାଲ ପକାଇ ପକେଟ ଗରମ କରୁଥିଲେ । ସବୁଠୁ ବଡ଼ କଥା ହେଉଛି ସବୁବେଳେ ସିଭିଲରେ ରହୁଥିବା ଏହି କନଷ୍ଟେବଳ ନିଜକୁ ସ୍ପେଶାଲ ସ୍କାଡ ନଚେତ ସବଇନ୍ସପେକ୍ଟର ପରିଚୟ ଦେଇ ଏମିତି ଲୋକଙ୍କୁ ଭକୁଆ ବନାଉଥିଲେ । ଯାହା ସମ୍ପର୍କରେ ସୂଚନା ମିଳିବା ପରେ ଏଟିଆର ଏନେଇ ଖବର ପ୍ରକାଶ କରିଥିଲା । ଯେଉଁ ଖବର କନଷ୍ଟେବଳଙ୍କୁ ବେଶ ବାଧିଥିଲା ।
ନିଜର କାରାନାମା ଲୁଚାଇବାକୁ ଯାଇ ଓ ଥାନା ଅଧିକାରୀଙ୍କ ଆଗରେ ଭଲେଇ ହେବା ଲାଗି ପ୍ରଥମେ ସେ ଖେଳ ଖେଳିଥିଲେ । ଏଟିଆର କର୍ମଚାରୀଙ୍କୁ ମଦ ଓ ମାଂସର ଅଫର ଦେଇଥିଲେ । ହେଲେ ଏଥିରେ ଏଟିଆର ଟିମ ରାଜି ନହେବାରୁ ସମ୍ପୃକ୍ତ କନଷ୍ଟେବଳ ଦେଖାଇଥିଲେ ଅସଲ ଔକାତ । ସିଧା ନ୍ୟୁଜ ପ୍ରକାଶ କରିଥିବା ରିପୋର୍ଟରଙ୍କ ଘରେ ପହଞ୍ଚିଥିଲେ । ହାତରେ ଥିଲା ୨ଟି ମଦ ବୋତଲ ଓ ନାମି ହୋଟେଲର ପ୍ୟାକେଟ ଖାଦ୍ୟ । ଉଦ୍ଦେଶ୍ୟ ଥିଲା ଲାଞ୍ଚ ଦେଇ ନିଜ କଳାକାରାନାମା ଲୁଚାଇବା ଲାଗି । ହେଲେ ତାହା ସମ୍ଭବ ହେଲାନାହିଁ । ଫଳସ୍ୱରୂପ ରାଗି ଲାଲ ପଡିଯାଇଥିଲେ କନଷ୍ଟେବଳ । ଆଉ ତା’ ପରେ ଦେଇଥିଲେ ଖୁଲମଖୁଲ୍ଲା ଧମକ । ତେବେ ସମ୍ପୃକ୍ତ କନଷ୍ଟେବଳ ଭୁଲି ଯାଇଥିଲେ ଘରେ ଲାଗିଥିବା ସିସିଟିଭି ସମ୍ପର୍କରେ । ଯାହାର ପ୍ରତିଟି ଘଟଣା ଏବେ ରେକର୍ଡ ହୋଇଛି । ଯଦି ଏହା ଉପରେ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ନ ନିଅନ୍ତି ତେବେ ଏନେଇ ଖୁବ ଶୀଘ୍ର କୋର୍ଟ ଓ ପରେ ମାନବାଧିକାର କମିଶନରଙ୍କ ନିକଟରେ ଏଟିଆର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗ କରାଯିବ । ଏଠାରେ ସୂଚନାଯୋଗ୍ୟ, ନିଜକୁ ବେଶ ତାକତବର ଭାବୁଥିବା କନଷ୍ଟେବଳଙ୍କ ନାଁରେ ରହିଛି ଶତାଧିକ ଅଭିଯୋଗ ।
୪ ନମ୍ବର ମାଛ ମାର୍କେଟରୁ ନେଇ ମାଷ୍ଟର କ୍ୟାଣ୍ଟିନ ଯାଏଁ ତାଙ୍କ ନାଁରେ ରହିଛି ଅଭିଯୋଗର ଲମ୍ବା ତାଲିକା । ଯାହାର ଲେଖାଯୋଖା ପ୍ରମାଣ ଆମ ହାତରେ ରହିଛ । ଅଭିଯୋଗ ହୋଇଛି ଥାନାର କେତେକ ପୁରୁଣା କର୍ମଚାରୀଙ୍କୁ ଢ଼ାଲ କରି ସମ୍ପୃକ୍ତ କନଷ୍ଟେବଳ ଏମିତି ନିଜର ହାକିମାତି ଚଳାଇଛନ୍ତି । ଭରା ଲୁଟି ପୂରା ଥାନାକୁ ଖୋଳ କରି ସାରିଲେଣି । ଯାହାପାଇଁ ଅଯଥାରେ ପୂରା ବଦନାମ ହେଉଛି କମିଶନରେଟ ପୁଲିସ ।
କେବେ ବି ୟୁନିଫର୍ମ ପିନ୍ଧୁନଥିବା ଏହି କନଷ୍ଟେବଳଙ୍କ ଏମିତି ହରକତ ଲାଗି ପୂର୍ବରୁ ସେ ସସପେଣ୍ଡ ହୋଇଥିଲେ । ହେଲେ ଏଯାବତ ସୁଧୁରିଲେନି । ବରିଷ୍ଠ ଅଧିକାରୀ ତୁରନ୍ତ ଏହା ଉପରେ ଧ୍ୟାନ ଦେଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଆଗକୁ ଆଉ ଏପରି ଦୋନମ୍ବରୀ କାମ କରିବାକୁ ଅନ୍ୟ କର୍ମଚାରୀମାନେ ଶହେ ଥର ଚିନ୍ତା କରିବେ ବୋଲି ମତ ପ୍ରକାଶ ପାଇଛି ।