ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ସରକାରୀ ବାବୁଙ୍କ ନାଁ ଶୁଣିଲେ ନାକ ଟେକନ୍ତି ଲୋକ । ଭାବନ୍ତି ବାବୁ ଦରମା ପାଆନ୍ତି ସତ କିନ୍ତୁ ଟେବୁଲ ତଳେ ଅଧିକ ନିଅନ୍ତି ହାତଗୁଞ୍ଜା । ମଳିମୁଣ୍ଡିଆ ଲୋକଙ୍କୁ ଦେଖିଲେ ଛିଛାକର କରନ୍ତି । ପାଖରେ ନପୂରାଇ ଦୂରଦୂର ମାରମାର କରନ୍ତି । ଖାଲି ଏତିକି ନୁହେଁ ଏମିତି ତ’ ଅନେକ ସରକାରୀ ବାବୁ ଅଛନ୍ତି ଯାହାଙ୍କୁ ଭେଟିବାକୁ ଦିନଦିନ ବିତିଯାଏ ସିନା ହେଲେ ସାରଙ୍କ ଦର୍ଶନ ମିଳେନାହିଁ । କିନ୍ତୁ ଆମେ କହୁଛୁ ଏମିତି ଜଣେ ସରକାରୀ ବାବୁଙ୍କ କଥା ଯିଏକି ସମ୍ପୂର୍ଣ୍ଣ ଓଲଟା । ତାଙ୍କୁ ଭେଟିବା ଲାଗି ଅନୁମତିର ଆବଶ୍ୟକ ନଥାଏ । ଗାଁର ଶେଷମୁଣ୍ଡରେ ଥିବା ଲୋକଟି ବି ଚାହିଁଲେ ଆରାମରେ ତାଙ୍କୁ ଭେଟିପାରେ । ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ବିଡିଓ ‘ଶ୍ରୀ କୁମାର ନାଗଭୁଷଣ’ ।
ନାଁଟା ଶୁଣିବାକୁ ସିନା ଅଣଓଡିଆ ସାର କିନ୍ତୁ ଓଡିଆଙ୍କୁ ବେଶ ଭଲ ପାଆନ୍ତି । ଏ କଥା ଆମେ ନୁହଁ ବରଂ ସ୍ଥାନୀୟ ଲୋକ ଜଣାଇଛନ୍ତି । ତାଙ୍କୁ ଭେଟିବାକୁ ଯାଉଥିବା ଲୋକଟିର କଥାକୁ ସେ ଆରମ୍ଭରୁ ଶେଷ ଯାଏ ଶୁଣନ୍ତି, ବୁଝନ୍ତି ଆଉ ଫଇସଲା ଅନ ଦ ସ୍ପଟ ନିଅନ୍ତି । ଖାସ ଏଥିପାଇଁ ତ’ ଲୋକେ ତାଙ୍କୁ ଓଏସ ନୁହଁ ବରଂ ନିଜ ପରିବାରର ସଦସ୍ୟ ବୋଲି ଭାବନ୍ତି । ଆରାମରେ ଆଖି ବୁଜି ତାଙ୍କ କଥାକୁ ବିଶ୍ୱାସ କରନ୍ତି । ଖାଲି ରଙ୍ଗେଇଲୁଣ୍ଡା ନୁହେଁ ପୁରୀରୁ ରାୟଗଡ଼ା ଯେଉଁଠି ବି ସେ କାମ କରିଛନ୍ତି ସବୁଠି ତାଙ୍କୁ ନେଇ ଚର୍ଚ୍ଚା । ସବୁଠି ଆଜି ବି ଲୋକ କହନ୍ତି ବାବୁ ହେବ ତ’ ଏମିତି ।
୨୦୧୬ରେ ସେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକରେ କାର୍ଯ୍ୟଭାର ନେଇଥିଲେ । ଦାୟିତ୍ୱନେବା ପରଠୁ ହିଁ ତାଙ୍କର ମୁଖ୍ୟ କାର୍ଯ୍ୟଥିଲା ସ୍ୱଚ୍ଛ ଭାରତ ଅଭିଯାନ । ଯାହା ଏବେ ଫଳପ୍ରଦ ହୋଇଛି । ସ୍ୱଚ୍ଛ ଭାରତ ଯୋଜନାରେ ନିଜ ବ୍ଲକର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସେ । ଏହାଛଡ଼ା ଅନୁସୂଚିତଜାତୀର ପିଲାଙ୍କୁ ପାଠ ପଢ଼ାଇବାକୁ ସୁଯୋଗ ଦେଇ ସେ ଆହୁରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଖାସ ଏଥିପାଇଁ ଗଞ୍ଜାମ ଜିଲ୍ଲାପାଳ ମଧ୍ୟ ତାଙ୍କୁ ବେଶ ପ୍ରଶଂଶା କରିଥିଲେ । ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣରେ ୬୫ ପ୍ରତିଶତ ଗାଁକୁ ତାଙ୍କ ଉଦ୍ୟମରେ ପାଣି ଯୋଗାଇ ଦିଆଯାଇ ପାରିଛି ।
୨୦୦୬ରେ ଓଡିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ଶ୍ରୀ କୁମାର ନାଗଭୁଷଣ । ପ୍ରଥମେ ସେ ପୁରୀରୁ କାର୍ଯ୍ୟ ଆରମ୍ଭ କରି ୨୦୧୧ରେ ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକର ଦାୟିତ୍ୱ ନେଇଥିଲେ । ଏହାପରେ ଅତିରିକ୍ତ ଦାୟିତ୍ୱ ଭାବେ ତହସିଲଦାର ଓ ସିଡିପିଓ ଦାୟିତ୍ୱ ତୁଳାଇଥିଲେ । ଏହାରି ଭିତରେ ଗୁଡାରୀ ବ୍ଲକକୁ ସେ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଛନ୍ତି । ପାଖାପାଖି ୪୦ରୁ ଅଧିକ ଗାଁକୁ ରାସ୍ତା ସଂଯୋଗ କରି ସେ ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପାତ୍ର ହୋଇପାରିଛନ୍ତି । ଏଥିପାଇଁ ବି କୁମାର ନାଗଭୁଷଣ କଲେକ୍ଟରଙ୍କ ଦ୍ୱାରା ପ୍ରଶଂଶିତ ହୋଇଥିଲେ ।
ପ୍ରଶାସନିକ ସେବାରେ ଯୋଗ ଦେବା ବେଳେ ପାଠ କହେ ଲୋକଙ୍କ କାମ କରିବାକୁ । ଅଫିସର ଶପଥ ମଧ୍ୟ ନିଅନ୍ତି । ଲୋକଙ୍କର ହୋଇ ଲୋକଙ୍କ ପାଇଁ କାମ କରିବେ । ଯେଉଁ କେତେଜଣ ଅଫିସର ଏହି ପ୍ରଶାସନିକ ସେବାକୁ ନିଜର କରି ସାଧାରଣ ଲୋକଙ୍କ ପାଇଁ କାମ କରନ୍ତି ସେମାନଙ୍କ ଭିତରେ ରହିଛନ୍ତି ନାଗଭୁଷଣ । ଆଶା କରିବୁ ନିଜ କର୍ମପଥରୁ ବିଚ୍ୟୁତ ହେବେନି ସେ । ପରିସ୍ଥିତି ଯାହା ବି ହେଉନା କାହିଁକି ଆମ ଲେକଙ୍କ ସାଥୀରେ ରହିବେ ଓ ଆମ ଲୋକଙ୍କ ପାଇଁ କାମ କରିବେ । ଶେଷରେ ଖାଲି ଏତିକି କହିବୁ ୱିସ ୟୁ ବେଷ୍ଟ ଅଫ ଲକ । ରିପୋର୍ଟ…ନବୀନ ରାଜ ଆଚାରୀ
MkMohanty
ଧନ୍ୟବାଦ ସାର୍