ବ୍ରହ୍ମପୁର,(ଏଟିଆରବ୍ୟୁରୋ): ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ ହତ୍ୟା ମାମଲାର ପର୍ଦ୍ଦାଫାସ । ଢ଼େରଦିନର ଖୋଳତାଡ ପରେ ବ୍ରହ୍ମପୁର ପୁଲିସ ଘଟଣାର ମାଷ୍ଟରମାଇଣ୍ଡ ତଥା ହତ୍ୟାକାରୀ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଗିରଫ କରିଛି । ପୂରାପୂରି ଯୋଜନାବଦ୍ଧ ଭାବେ ହୃଷିକେଶ ଏହି ହତ୍ୟାକାଣ୍ଡ ରଚିଥିଲେ । ଯେମିତି କେଉଁଠି କିଛି ବି ସୁରାକ ନମିଳିବ ଓ ପୁଲିସ ବାଇଆ ହେବ ସେନେଇ ସବୁ ପ୍ରକାର ପ୍ରସ୍ତୁତି ମଧ୍ୟ ସେ କରିଥିଲେ । ଅତି ଚାଲାକର ସହ ପ୍ରଥମେ ଇଞ୍ଜକସନ ଦେଇ ଅଚେତ କରିବା ପରେ ବିଷ୍ଣୁଙ୍କ ଦେହରୁ ସବୁତକ ରକ୍ତ ନିଗାଡି ଦେଇଥିଲେ ଡାକ୍ତର ହୃଷିକେଶ । କେବଳ ସେତିକି ନୁହେଁ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଏକ ନିକାଞ୍ଚ ଜଙ୍ଗଲରେ ପୋତି ଦେଇଥିଲେ ।
ଗିରଫ ହେବା ପରେ ସେ କିଭଳି ହତ୍ୟାକାଣ୍ଡ ରଚିଥିଲେ ସେନେଇ ଗୋପାଳପୁରରେ ଥିବା ବଡ଼ଗୁମାଲରେ ପୁଲିସ ଆଗରେ ଡେମୋ ଦେଖାଇଛନ୍ତି ଖୋଦ ହତ୍ୟାକାରୀ ଡାକ୍ତର ହୃଷିକେଶ ତ୍ରିପାଠୀ । ଏହି ଘଟଣାରେ ଡାକ୍ତରଙ୍କୁ ସହଯୋଗ କରିଥିବା ବିଧାନ ସେଠୀକୁ ମଧ୍ୟ ପୁଲିସ ଗିରଫ କରିଛି । ସୂଚନାଯୋଗ୍ୟ, ପୂର୍ବରୁ ଗଙ୍ଗାଧର ବେହେରାକୁ ମଧ୍ୟ ଗିରଫ କରାଯାଇଥିଲା । ତେବେ ଡାକ୍ତରଙ୍କୁ ଗିରଫ ପରେ ପୁଲିସ ହତ୍ୟାରେ ବ୍ୟବହୃତ ୨ଟି କାର, ଗୋଟିଏ ବୁଲେଟ ଓ ବ୍ଲେଡ ଜବତ କରିଛି । ବୁଢ଼ା କାଳେ ପ୍ରେମ ଲିଳାରେ ପଡି ଏହି ଜଘନ୍ୟକାଣ୍ଡ ସେ ଭିଆଇଥିବା ପୁଲିସ ପକ୍ଷରୁ ଆଜି ଗଣମାଧ୍ୟମକୁ ସୂଚନା ଦେଇଛି ।
ପୁଲିସ ରିପୋର୍ଟ ଅନୁସାରେ, ନୂଆବସଷ୍ଟାଣ୍ଡରେ ରହିଛି ଗାୟତ୍ରୀ କ୍ଲିନିକ । ଏହି କ୍ଲିନକର ମାଲିକ ଥିଲେ ଡାକ୍ତର ହୃଷିକେଶ ତ୍ରିପାଠି । ତେବେ ଡାକ୍ତର ତ୍ରିପାଠୀ କ୍ଲିନିକରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ପ୍ରେମ କରୁଥିଲେ । ସେପଟେ ନର୍ସ ମଧ୍ୟ ଏଚଡିଏଫସି ବ୍ୟାଙ୍କରେ ଏଜେଣ୍ଟ ଭାବେ କାମ କରୁଥିବା ବିଷ୍ଣୁ ଗୌଡଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ଏହି ଘଟଣା ଡାକ୍ତର ହୃଷିକେଶ ଜାଣିବା ପରେ ତାଙ୍କ ମୁଣ୍ଡକୁ ପିତ ଚଢ଼ିଥିଲା । ନର୍ସଙ୍କୁ କେବଳ ନିଜର କରିବା ଓ ବିଷ୍ଣୁଙ୍କ ସବୁଦିନ ଲାଗି ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲେ ।
ପୂରାପୂରି ପ୍ଲାନିଂ ଅନୁସାରେ, ବିଷ୍ଣୁଙ୍କୁ ମଦ ଛଡାଇଦେବାର ପ୍ରଲୋଭନ ଦେଖାଇ ନିଜ କ୍ଲିନିକୁ ଡାକିଥିଲେ । ସେଠାରେ ଅଚେତ ଇଞ୍ଜକ୍ସନ ଦେଇ ବେହୋସ କରିଦେବା ପରେ ବିଷ୍ଣୁଙ୍କ ତଳ ପାଦକୁ କାଟି ପକାଇଥିଲେ । ରକ୍ତ ବାହାରିଗଲେ ମୃତଦେହ ବେଶିଦିନ ରହିବ ନାହିଁ ବୋଲି ଭଲଭାବେ ଜାଣିଥିଲେ ଡାକ୍ତର । ସିଧା କହିବାକୁ ଗଲେ ହତ୍ୟା ପାଇଁ ପୂରା ଡାକ୍ତରୀ ବୁଦ୍ଧି ଖଞ୍ଜିଥିଲେ । ବିଷ୍ଣୁଙ୍କୁ ହତ୍ୟା କରିବା ପରେ ସେ ତାଙ୍କର ଦୁଇ ସହଯୋଗୀ କୁହାଯାଉଥିବା ଗଙ୍ଗାଧର ଓ ବିଧାନ ସହ ମିଶି ମୃତଦେହକୁ ଗୋପାଳପୁର ବଡ଼ଗୁମାଲରେ ପୋତି ଦେଇଥିଲେ ।
ସେପଟେ ବିଷ୍ଣୁଙ୍କ ନିଖୋଜ ନେଇ ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ପ୍ରଥମେ ଯଦିଓ ଏହାର କିଛି ଆଭାସ ପାଇନଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଆସିଥିବା ଏକ ଅଜଣା କଲ ପୁଲିସକୁ ରାସ୍ତା ଦେଖାଇ ଦେଇଥିଲା । ପ୍ରଥମେ ଗଙ୍ଗାଧରକୁ ଗିରଫ କରିବା ପରେ ପୁଲିସ ଡାକ୍ତରଙ୍କ ଡେଞ୍ଜର ରୂପ ବିଷୟରେ ଜାଣିଥିଲା । ସେପଟେ ଘଟଣା ସମ୍ପର୍କରେ ଜାଣିବା ପରେ ଡାକ୍ତର ଫେରାର ହୋଇଯାଇଥିଲେ । ଭୁବନେଶ୍ୱରରେ ବ୍ରହ୍ମପୁର ପୁଲିିସ ପହଞ୍ଚି ଡାକ୍ତରଙ୍କୁ ଗିରଫ କରିବା ପରେ ଏବେ ପୂରା ଘଟଣା ସାମ୍ନାକୁ ଆସିଛି ।
ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ହୃଷିକେଶ ହେଉଛନ୍ତି ଡେଞ୍ଜର ଡାକ୍ତର । ଏଠାରେ ପ୍ରକାଶ ଥାଉକି ଗତମାସ ୧୮ତାରିଖରୁ ବିଷ୍ଣୁ ନିଖୋଜ ନେଇ ବିଏନପୁର ଥାନାରେ ମାମଲା ରୁଜୁ ହୋଇଥିଲା । ବ୍ରହ୍ମପୁରରୁ ନବୀନ ରାଜଙ୍କ ରିପୋର୍ଟ ଏଟିଆର ନ୍ୟୁଜ