ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ସହିପାରୁ ନାହାନ୍ତି । ତେଣୁ ବାଟ ଓଗାଳୁଛନ୍ତି । ଯେନତେନ ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି । ବିଭ୍ରାନ୍ତକର ତଥ୍ୟ ଉପସ୍ଥାପନ କରି ଫାଇଦା ଉଠାଇବାକୁ ଚାହୁଁଛି ବିଜେପି । ଏହି ଅଭିଯୋଗ ଉଠାଇ ବ୍ରହ୍ମପୁର ବିଜେଡି ଖୁବ ବର୍ଷିଛି । ସିଧା ଟାର୍ଗେଟ କରିଛି ବିଜେପିକୁ । ଆସନ୍ତା ୨୯ ତାରିଖରେ ସରକାରଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ନେଇ ରଙ୍ଗେଇଲୁଣ୍ଡା ବ୍ଲକ ସମ୍ମୁଖରେ ଏକ ମାନବ ଶୃଙ୍ଖଳ ଡାକରା ଦେଇଛି ବିଜେପି । ତେବେ ଏହା ବିଜେପିର ଅସହିଷ୍ଣୁତା ମନୋଭାବ ବୋଲି ଏକ ପ୍ରେସମିଟ ମାଧ୍ୟମରେ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।
ବିଜୁ ଜନତା ଦଳର ସରକାର ଲୋକଙ୍କ ସରକାର । ତେଣୁ ଲୋକଙ୍କ ବିକାଶ ପାଇଁ ସବୁ ସ୍ତରରେ ସରକାର ଚେଷ୍ଟା ଜାରି ରଖିଛନ୍ତି । କିନ୍ତୁ ଏହି ବିକାଶରେ ବାଧା ଉପୁଯାଇବାକୁ ବିଜେପି ଚକ୍ରାନ୍ତ କରୁଛି ବୋଲି କହିଛି ବିଜେଡି । ସେପଟେ ୭୬ ପ୍ରତିଶତ ହିତାଧିକାରୀ ଖାଦ୍ୟ ସୁରକ୍ଷା ଆଇନରେ ରାସନ କାର୍ଡ ପାଇବା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିଛି ରଙ୍ଗେଇଲୁଣ୍ଡା ବ୍ଲକ । ସେହିପରି ସ୍ୱଚ୍ଛ ଭାରତ ଅଭିଯାନରେ ୮୮ପ୍ରତିଶତ ପାଇଖାନା କରି ରଙ୍ଗେଇଲୁଣ୍ଡା ବ୍ଲକ ଦ୍ୱିତୀୟ ସ୍ଥାନରେ ରହିଛି । ଆମ ଗାଁ ଆମ ବିକାଶରେ ସରକାରଙ୍କ ପକ୍ଷରୁ ୩୨ଟି ପଞ୍ଚାୟତକୁ ମୋଟ ୮କୋଟି ୧୨ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ କରାଯାଇଛି । ସେପଟେ ଭିନ୍ନକ୍ଷମ ସାମର୍ଥ ଅଭିଯାନରେ ସର୍ବାଧିକ ଦିବ୍ୟାଙ୍ଗ ଚୟନ କରିବାରେ ବେଶ ଆଗରେ ରହିଛି ରଙ୍ଗେଇଲୁଣ୍ଡା ବ୍ଲକ ।
ଏପରିସ୍ଥଳେ ବ୍ଲକଗୁଡିକରେ ଉନ୍ନୟନମୂଳକ କାର୍ଯ୍ୟ ହେଉନାହିଁ ବୋଲି ବିଜେପି ଯେଉଁ ଅଭିଯୋଗ ଉଠାଉଛି ତାହାର କାଣିଚାଏ ବି ସତ୍ୟାସତ୍ୟ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛି ବିଜେଡି । ତେଣୁ ଲୋକେ ଏଭଳି ମିଥ୍ୟା ଅଭିଯୋଗଠୁ ଦୂରେଇ ରହିବାକୁ କୁହାଯାଇଛି । ଆଜିର କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ, ଉପାଧ୍ୟକ୍ଷ ଅଜିତ ଦାସ, ଡିଆରଡିଏ ସୁବାଷ ବେହେରା, ସଭାନେତ୍ରୀ ବିଷ୍ଣୁପ୍ରଭା ନାୟକ, ଦୀପକ ସାମନ୍ତ ଓ ସଭାପତି ସିଏଚ ଭରତ ପ୍ରମୁଖ ଉପସ୍ଥିତ ଥିଲେ । ରିପୋର୍ଟ: ନବୀନ ରାଜ