ପୁରୀ (ଏଟିଆର ବ୍ୟୁରୋ): ଆସନ୍ତାକାଲି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏନେଇ ଖୁବ୍ ଜୋର୍ ସୋରରେ ପ୍ରସ୍ତୁତି ଚାଲିଛି । ଭକ୍ତମାନେ ଭଗବାନଙ୍କ ଏହି ସ୍ନାନ ଯାତ୍ରା ଦେଖିବା ପାଇଁ ଏହି ଦିନକୁ ଅନେଇ ବସିଥାନ୍ତି । ଏବଂ ସ୍ନାନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସ୍ନାନ ସରିବା ପରେ ଭକ୍ତମାନଙ୍କୁ ଗଜାନନ ବେଶରେ ଦର୍ଶନ ଦିଅନ୍ତି ଭଗବାନ । ତେବେ ଆସନ୍ତୁ ଜାଣିବା ସ୍ନାନ ଯାତ୍ରା ପୂର୍ବଦିନ ମାନେ ଆଜିର ଦିନରେ ମହାପ୍ରଭୁଙ୍କର କିଛି ବିଶେଷ ଭପଚାର ଓ ବିଧି ସଂପର୍କରେ ।
ସାଧାରଣ ଦିନ ପରି ସ୍ନାନ ଯାତ୍ରାର ପୂର୍ବ ଦିନ ଶ୍ରୀମନ୍ଦିରରେ ସମସ୍ତ ନିତୀ ଶେଷ ହେବା ପରେ କିଛି ସମୟ ପାଇଁ ପହୁଡ ପଡେ ଏବଂ ତାପରେ ସ୍ନାନ ଯାତ୍ରାର ବିଧି ଆରମ୍ଭ ହୋଇଥାଏ । ଏହିଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରି ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି । ଏହାସହିତ ମହାପ୍ରଭୁଙ୍କର ସେନାପଟା ଏବଂ ବାହୁଟି ଲାଗି ହୋଇଥାଏ । ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥାଏ ।