ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ନା ଆଗକୁ ଯିବା ସମ୍ଭବ, ନା ପଛକୁ ଫେରିବା । ମୁଣ୍ଡ ଫଟା ଖରାରେ ବିଚ ରାସ୍ତାରେ ଫସି ଆଜି ନାକେଦମ ହୋଇଛନ୍ତି ଲୋକେ । ତାହାପୁଣି ୫/୧୦ମମିନିଟ ନୁହେଁ ବରଂ ଦୀର୍ଘ ୨ଘଁଟା କାଳ । ବିଏମସିର ଅଳିଆ ଫିଙ୍ଗା ଗାଡି ଦୁର୍ଘଟଣା ଘଟାଇବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ । ଫଳରେ ଯାତାୟତ ଠପ ହୋଇଯାଇଥିଲା । ଅଖଚକ ଜାମ ରହିଥିଲା ।
ଏମିତି ଏକ ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଡମଣା ଛକରେ । ଟ୍ରାଫିକ ଏସିପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପହଁଚି ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ମିଳିଥିବା ରିପୋର୍ଟ ଅନୁସାରେ, ଅଳିଆ ଫିଙ୍ଗୁଥିବା ବିଏମସିର ଏକ ଟ୍ରକ ଆଗରେ ଯାଉଥିବା ଏକ କାରକୁ ଧକ୍କା ଦେଇଥିଲା । ଟ୍ରାଫିକ ପୋଷ୍ଟରେ ଦୃତଗତୀରେ ଆସି ଗାଡିଟି ଧକ୍କା କରିଥିବାରୁ ଏହାକୁ ନେଇ ଉତେଜନା ଦେଖାଦେଇଥିଲା ।
ସୂଚନାଯୋଗ୍ୟ, ବିଏମସିର ଅଳିଆ ଫିଙ୍ଗୁଥିବା ଗାଡି ଡ୍ରାଇଭରମାନେ ବିଲକୁଲ ବେପାରୁଆ ହୋଇପଡିଛନ୍ତି । କିଛିଦିନ ତଳେ ଖାରବେଳନଗର ଅଁଚଳରେ ଜଣେ ଭିକାରୀକୁ ଗାଡି ଧକ୍କା ଦେଇଥିଲା । ସେହିପରି ମଁଚେଶ୍ୱରରେ ମଧ୍ୟ ଆଉ ଏକ ଦୁର୍ଘଟଣା ନିକଟଦିନରେ ଘଟିଥିଲା । ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ବିଭାଗୀୟ ଅଧିକାରୀ ଚୁପ ବସିବା ଲୋକଙ୍କ ଅସନ୍ତୋଷର କାରଣ ହୋଇଛି । ସେପଟେ ଦୁର୍ଘଟଣା ଘଟାଇବା ପରେ ବି ଡ୍ରାଇଭରମାନେ ବେଶ ତୋଡ ଦେଖାଉଛନ୍ତି । ସରକାରୀ ଗାଡି ହୋଇଥିବାରୁ ସେମାନେ ଉତ୍ପାତ ଅଧିକ ହେଉଥିବା ମତ ପ୍ରକାଶ ପାଇଛି ।