ବ୍ରହ୍ମପୁର(ଏଟିଆର ବ୍ୟୁରୋ): ଶେଷରେ ପର୍ଦ୍ଦାଫାସ ହେଲା କାର ଉପରକୁ ହୋଇଥିବା ବୋମାମାଡ଼ ଘଟଣାର । ମାତ୍ର ୭୨ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଠାବ କରିବାରେ ସଫଳ ହୋଇଛି ବ୍ରହ୍ମପୁର ପୁଲିସ । ଘଟଣାରେ ଜଡିତ ୨ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ମୋଟ ୯ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ରାଜା ଦାସ, ବାପା ମିଶ୍ର, ସନ୍ତୋଷ ସେଠି, ଦିପୁନା ନାୟକ, ପିଣ୍ଟୁ ବେହେରା, ସୁନିଲ ମିଶ୍ର, ରବିନ୍ଦ୍ର ଦାସ, ସୁଶାନ୍ତ ସାହୁ ଓ ସନ୍ୟାସ ସେଠି । ଏମାନଙ୍କ ପାଖରୁ ପୁଲିସ ବାଇକ,ମୋବାଇଲ ଓ ୪ଟି ଅଫୁଟା ବୋମା ଜବତ କରିଛି । ଏବେ ବି ଘଟଣାରେ ଜଡିତ ଆହୁରି ୨ଜଣ ମୁଖ୍ୟ ଅଭିଯୁକ୍ତ ଫେରାର ରହିଛନ୍ତି ।
ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ପୁଲିସ ରିପୋର୍ଟ ଅନୁସାରେ, ଚିକେନ ରବି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ବିଶୋଇଙ୍କୁ ଆକ୍ରମଣ କରିବା ଲାଗି ପୂର୍ବରୁ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଣ୍ଟ । ଯୋଜନା ମୁତାବକ ବମ କିଣାଯିବା ସହ ଆକ୍ରମଣ କାରୀମାନେ ଢ଼ୀପସାହି ଛକରେ ଜଗି ରହିଥିଲେ । ସୁଶାନ୍ତ ତାଙ୍କର ସହଯୋଗୀଙ୍କ ସହ ଥାନାରେ ହାଜର ହେବାକୁ ଯାଉଥିବା ବେଳେ ଅଚାନକ ଗାଡି ଉପରକୁ ବୋମା ମାଡ଼ କରାଯାଇଥିଲା । ତେବେ ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଘଟଣାର ଖୋଳତାଡ ଆରମ୍ଭ କରିଥିଲା ।
ତୁରନ୍ତ ଅଭିଯୁକ୍ତଙ୍କୁ ଠାବ କରିବା ନେଇ ପୁଲିସ ଗଠନ କରିଥିଲା ଏକ ସ୍ୱତନ୍ତ୍ର ଟିମ । ଟିମରେ ରହିଥିଲେ ବଛାବଛା ଅଫିସର । ରାଜା ଦାସ ଓ ଦୀପୁନା ନାୟକଙ୍କ ସମେତ ମୋଟ ୧୧ଜଣ ପୂରା ଘଟଣାରେ ଜଡିତ ରହିଥିବା ସୂଚନା ମିଳିବା ପରେ ପୁଲିସ ସମସ୍ତଙ୍କୁ ଗିରଫ କରିଛି । ତେବେ ତଦନ୍ତ ବେଳେ ପୁଲିସ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପାଇଛି । ଘଟଣାପଛରେ କେଉଁଠି ନା କେଉଁଠି ସୁନିଲ ବେହେରା ନାମକ ଏକ କୁଖ୍ୟାତ ଅପରାଧୀ ରହିଥିବା ସନ୍ଦେହ କରୁଛି । କାରଣ ପୂର୍ବରୁ ସୁନିଲ ସୁଶାନ୍ତଙ୍କୁ ସବୁଦିନ ଲାଗି ରାସ୍ତାରୁ ହଟାଇବାକୁ ଯୋଜନା କରୁଥିବା ଜାଣିବାକୁ ପାଇଛି ପୁଲିସ । ତେବେ ଘଟଣାରେ କେତେ ସତ୍ୟତା ଲୁଚି ରହିଛି ଓ ଏହି ବୋମାମାଡ଼ ଘଟଣାରେ ସୁନିଲ ଜଡିତ ରହିଛି କି? ଏନେଇ ଅଧିକ ଖୋଳତାଡ ଚଳାଇଛି ପୁଲିସ । ଖୁବ ଶୀଘ୍ର ସୁନିଲକୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯିବ ବୋଲି ପୁଲିସ ଯୋଜନା କରୁଥିବା ସୂଚନା ମିଳିଛି ।