ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ହଜାର କି’ ଲକ୍ଷ ନୁହେଁ । କୋଟି କୋଟି ଟଙ୍କା ଠକେଇ । ତାହା ପୁଣି ଜମି ଦେବା ନାଁରେ । ଏଭଳି ଏକ ହାଇଟେକ ଠକେଇର ପର୍ଦ୍ଦାଫାସ କରିବା ସହ କ୍ରାଇମବ୍ରାଞ୍ଚ ଜଣେ ବିଲ୍ଡରକୁ ଗିରଫ କରିଛି । ଗିରଫ ବିଲ୍ଡର ଜଣଙ୍କ ହେଉଛି ପ୍ରଶନ୍ନ କୁମାର ପାତ୍ର । ଜେଡ ଇନଫ୍ରା କନଷ୍ଟ୍ରକସନ ନାମକ ଏକ ସଂସ୍ଥାରେ ସେ ନିର୍ଦ୍ଦେଶକ ଥିବା ଜଣାପଡିଛି ।
ରିପୋର୍ଟ ଅନୁସାରେ, ନୟାପଲ୍ଲୀ ଆଇଆରସି ଭିଲେଜର ପ୍ଲଟ ନମ୍ବର ୩/୨୩୬ରେ ଅଫିସ କରିଥିବା ପ୍ରଶନ୍ନ ଗତ ୨୦୧୦ରେ ଏହି ଠକେଇର ମୂଳଦୁଆ ପକାଇଥିଲେ । ଜଟଣୀ ତହସିଲ କଂସପଦାରେ ଏକ ଜମି ଦେବା କହି ଭୁବନେଶ୍ୱରରେ ରହୁଥିବା ମନୋରଞ୍ଜନ ମିଶ୍ରଙ୍କଠୁ ଟଙ୍କା ନେଇଥିଲେ । କେବଳ ମନୋରଞ୍ଜନ ନୁହଁନ୍ତି ତାଙ୍କପରି ପାଖାପାଖି ୩ଶହ ଲୋକଙ୍କୁ ସେଠାରେ ଜମି ଦେବା କହି ହାରାହାରି ୧୨କୋଟି ଟଙ୍କା ଚଳୁ କରିଥିଲେ ପ୍ରଶନ୍ନ । ତେବେ ଟଙ୍କା ନେବା ପରେ ନା ଜମି ମିଳିଥିଲା ନା’ ପ୍ରଶନ୍ନଙ୍କ ଦେଖା । ଆଜି କାଲି କହି ଖାଲି ସମୟ ଗଡେଇ ଚାଲିଥିଲେ ।
ଟଙ୍କା ଦେଇଥିବା ଲୋକେ ବାରମ୍ବାର ତାଙ୍କ ପାଖକୁ ଦୌଡିଥିଲେ ମଧ୍ୟ ପ୍ରଶନ୍ନ କୌଣସି ଗୁରୁତ୍ୱ ଦେଇନଥିଲେ । ମଝିରେ କିଛି ଅନାମଧେୟ ଜମିକୁ ସେ ଦେଇଥିଲେ ମଧ୍ୟ ସେଠାକୁ ଯିବାକୁ ରାସ୍ତା ମିଳିନଥିଲା । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆହୁରି ଅସନ୍ତୋଷ ଦେଖାଦେଇଥିଲା । ଶେଷରେ ଲୋକେ ଉପାୟଶୂନ୍ୟ ହୋଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ । ଘଟଣାର ଖୋଳତାଡ କରିବା ପରେ ପ୍ରଶନ୍ନ ଠକେଇ କରିଥିବାର ଠୋସ ତଥ୍ୟ ପାଇଥିଲା କ୍ରାଇମବ୍ରାଞ୍ଚ । ଶେଷରେ ଆଜି ତାକୁ ଗିରଫ କରାଯାଇଛି ।