ଭୁବନେଶ୍ୱର,୧୫ା୨(ବ୍ୟୁରୋ): ନ୍ୟାୟ ପାଇବା ଲାଗି ହତାସ ହୋଇ ଶେଷରେ ସମସ୍ତେ ଆତ୍ମହତ୍ୟା କଲେ । ପେଶି ହୋଇଗଲେ ସରକାରୀ କଳର ଚକ୍ରବ୍ୟୁହରେ । ମାନସମ୍ମାନ ସହ ଇଜ୍ଜତର ବି ଧଜିଆ ଉଡିଗଲା । ଉପାୟଶୂନ୍ୟ ହୋଇ ଶେଷରେ ଆତ୍ମହତ୍ୟା ଶେଷ ବାଟ ବୋଲି ସେମାନେ ବାଛିନେଲେ । ର୍ଦୁଭାଗ୍ୟ ମଲା ପରେ ବି ନ୍ୟାୟ ମିଳିବ କ’ଣ ବରଂ ମାମଲାକୁ ରଫାଦଫା କରିବାକୁ ଜୋରଦାର୍ ପ୍ରୟାସ ହେଲା । ଯାହାର ପ୍ରମାଣ ସରକାରୀ ରିପୋର୍ଟରେ ତାଳମେଳ ନରହିବା ।
ଉଦାହରଣସ୍ୱରୂପ କୁନ୍ଦୁଲି ଘଟଣାକୁ ନିଆଯାଇପାରେ । ଏପରିସ୍ଥଳେ ରାଜ୍ୟରେ ଘଟିଯାଇଥିବା ୧୦ଟି ଲୋମ ଟାଙ୍କୁରା ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଆଜକୁ ୬ଦିନ ହେବ ରାସ୍ତାକୁ ଓହ୍ଲାଇଛି ସିଭିଲ ସୋସାଇଟି ସ୍ୱେଚ୍ଛାସେବୀ ସଂଗଠନ । ଶୋଇଥିବା ସରକାରକୁ ଉଠାଇବାକୁ ଆମରଣ ଅନଶନର ବାଟ ବାଛିଲା ସଂଗଠନ । ର୍ଦୁଭାଗ୍ୟ ତଥାପି ସରକାରଙ୍କ ନିଦ ଭାଙ୍ଗୁନଥିବା ବେଳେ ଏପଟେ ଅନଶନରେ ବସିଥିବା ୪ରୁ ଅଧିକ କର୍ମୀ ହସପିଟାଲରେ ଭର୍ତି ହୋଇଛନ୍ତି । ସମସ୍ତଙ୍କ ଅବସ୍ଥା ଗୁରୁତର ରହିଛି ।
ଅନଶନରେ ବସିଥିବା ୪ଜଣ କର୍ମୀ ଅଚାନକ୍ ଅସୁସ୍ଥ ହୋଇପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତି କରିଛନ୍ତି । ସେମାନଙ୍କ ଭୁଲ ଏତିକି ଯେ, ପୀଡିତାକୁ ନ୍ୟାୟ ଦେବା ଓ ଚେଇଁ ଶୋଇଥିବା ସରକାରକୁ ନିଦରୁ ଉଠାଇବାକୁ ପ୍ରୟାସ କରିଥିଲେ ଏମାନେ । କଥାରେ ଅଛି ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ । ଖାସ୍ ଏଥିପାଇଁ ତ’ ଆମରଣ ଅନଶନ କରୁଥିବା କର୍ମୀ ୬ଦିନ ହେବ ବସିଥିବା ବେଳେ ସରକାର କିନ୍ତୁ ବେଫିକର ।
ନା ତାଙ୍କ କଥା ବୁଝୁଛନ୍ତି ନା ନିଜେ କୌଣସି ପଦକ୍ଷେପ ନେଉଛନ୍ତି । ଯାହାକୁ ନେଇ ସାଧାରଣରେ ଅସାନ୍ତୋଷ ବୃଦ୍ଧି ପାଉଛି । ତୁରନ୍ତ ପୀଡିତାକୁ ନ୍ୟାୟ ଦେବା ଲାଗି ଦାବି ହେଉଥିବା ବେଳେ ଯେ ପର୍ଯ୍ୟନ୍ତ ଘଟଣାର ସିବିଆଇ ତଦନ୍ତ ନହେବ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଗଠନ ଚେତାବନୀ ଦେଇଛି ।