ଭୁବନେଶ୍ୱର,୧୦ ।୨/(ବ୍ୟୁରୋ): ମଣିଷର ଲୋଭ କରିବା ଏକ ସ୍ୱଭାବିକ ପ୍ରକ୍ରିୟା । ହେଲେ ବେଳେ ବେଳେ ଏହି ଲୋଭ ତାକୁ ବୁଡେଇ ମାରେ । ଏହିଭଲି ଏକ ଚିତ୍ର ଆଜି ନୟାପଲ୍ଲୀ ଥାନା ଅଧିନରେ ଦେଖିବାକୁ ମିଳିଛି । ଘରର ଜମି କାଗଜପତ୍ର ନିଜ ନାଁରେ କରିଦେବା ଅଭିଯୋଗରେ ଆଜି ନୟାପଲ୍ଲୀ ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ସତ୍ୟପ୍ରକାଶ ସେଠୀ ବୋଲି ପୁଲିସ କହିଛି ।
ସୂଚନା ମୁତାବକ, ଅଭିଯୁକ୍ତ ସତ୍ୟପ୍ରକାଶଙ୍କର ବଡଭାଇ ଗୋବିନ୍ଦଚନ୍ଦ୍ର ସେଠୀ ଜୟପୁର ଠାରେ ଥିବା ଷ୍ଟେଟ୍ ବ୍ୟାଙ୍କରେ ଚାକିରି କରିଛନ୍ତି । ସେଥିପାଇଁ ସେ ସପରିବାର ସେଠାରେ ରହୁଥିଲେ । ତେବେ ଉଭୟଙ୍କର ନୟାପଲ୍ଲୀ ଥାନା ଅଧିନରେ ଏକ ଜମି ରହିଥିଲା । ଏହାକୁ ସତ୍ୟପ୍ରକାଶ ଚତୁରତାର ସହ ନିଜ ନାମକୁ କରାଇ ନେଇଥିଲେ ।
ଏପରିକି ଏହି ଜମି କାଗଜରେ ନିଜ ବଡ ଭାଇଙ୍କ ଜାଲ ଦସ୍ତଖତ ନେବା ସହ ଏହି ଜମିରେ ଗୋବିନ୍ଦଙ୍କ କୌଣସି ଅଧିକାର ନାହିଁ ବୋଲି ଜାଲିଆତି କରି ନିଜେ ଲେଖି ଦେଇଥିଲେ । ଭାଇର ଏହି ଚତୁରତା ନେଇ ଗୋବିନ୍ଦଚନ୍ଦ୍ର ଜାଣିବା ପରେ ତାଙ୍କୁ ପଚାରିବାରୁ ସେ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରି ଗୋଡାଇଥିଲେ । ସାନ ଭାଇର ଏପରି କାର୍ଯ୍ୟକଳାପ ବଡ ଭାଇ ଦେଖିପାରିନଥିଲେ । ଫଳରେ ସେ ୨୦୧୫ରେ ଆସି ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୁକ୍ତ ସତ୍ୟପ୍ରକାଶଙ୍କୁ ଧରିବା ପାଇଁ ପ୍ରାୟ ୧୦ରୁ ଅଧିକ ଚଢଉ କରିଥିବା ବେଳେ ଫେଲ୍ ମାରିଥିଲା । ଶେଷରେ ସତ୍ୟପ୍ରକାଶଙ୍କୁ ପୁଲିସ ତାଙ୍କ ଜାଲରେ ଫସାଇ ଦେଇଥିଲା ।