ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆଗ ପଛ ହୋଇ ଟହଲ ମାରୁଥିଲେ ପୁଲିସ କର୍ମୀ । ରହିଥିଲା ବିଚାରଧୀନ କଏଦୀ ଉପରେ କଡ଼ା ନଜର । ଆଉ କିଛି ସମୟ ପରେ ତା’ର ଶୁଣାଣୀ ହୋଇଥାନ୍ତା । ହେଲେ ଅଚାନକ ଗାଏବ ହୋଇଗଲା ବିଚାରଧୀନ କଏଦୀ ଜଣକ । ଖୋଜାଖୋଜି କଲେ ବି ଆଉ ପତ୍ତା ମିଳିଲା ନାହିଁ ।
ପୁଲିସକୁ ଏମିତି ଚକମା ଦେଇ କୋର୍ଟ କାମ୍ପସରୁ ଫେରାର ହୋଇଥିବା ଅଭିଯୁକ୍ତ ଜଣକ ହେଉଛି ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳର ରଞ୍ଜନ ମାର୍ଥା । ଏକ ନାବାଳିକାକୁ ଅସଦାଚରଣ ମାମଲାରେ ସେ ଜେଲ ଯାଇଥିଲା । ତେବେ ଏନେଇ ଅଭିଯୋଗ ହେବା ପରେ ରଞ୍ଜନକୁ ପୁଲିସ ତା’ ନିଜ ଗାଁ ଟାଙ୍ଗୀ ଅଞ୍ଚଳରୁ ଗିରଫ କରିଛି । ତେବେ ରଞ୍ଜନ କୋର୍ଟ କ୍ୟାମ୍ପସରୁ ଚମ୍ପଟ ମାରିବା ଘଟଣା ପୁଣି ଥରେ ପୁଲିସର ଢ଼ିଲା ଡ୍ୟୁଟିକୁ ପଦାରେ ପକାଇଛି ।
ରେକର୍ଡ କହୁଛି ଅନେକ ଅପରାଧୀ ପୂର୍ବରୁ ଏମିତି ଫେରାର ହୋଇଛନ୍ତି । ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ଏଥିପାଇଁ ଅନେକ ପୁଲିସ କର୍ମୀ ମଧ୍ୟ ସସପେଣ୍ଡ ହୋଇଛନ୍ତି । ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।