ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାଜନୀତିର ପସାପାଲିରେ ଏବେ ‘ଗୋଟି’ ସାଜିଛି କ୍ରାଇମବ୍ରାଁଚ । ଏସଟିଏଫ ଓ ଇଓଡବ୍ଲୁୃ୍ୟ ତଦନ୍ତ ଆଳରେ ଏବେ ଗଣମାଧ୍ୟମକୁ ଟାର୍ଗେଟ କରିବାକୁ ବି ପଛାଇ ନାହାନ୍ତି । ୧୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଚାଁଚଲ୍ୟକର ମାମଲାରେ ପୂରା ଫେଲ ମାରିଥିବା କ୍ରାଇମମବ୍ରାଁଚ କାହାର ସ୍ୱାର୍ଥ ସାଧନ ପାଇଁ ଗଣମାଧ୍ୟମର ଗୋଛି କାଟିବା ପାଇଁ ପ୍ରୟାସ ଚଳାଇଛି ତାହା ବିଡ଼ମ୍ବନାର ବିଷୟ । ତଦନ୍ତ କରି ଳୋକଙ୍କୁ ନ୍ୟାୟ ଦେବା ବଦଳରେ ରାଜନୀତିକ ଦଳର ‘କ୍ରୀଡନକ’ ସାଜିବାରେ କ୍ରାଇମମବ୍ରାଁଚର ବରିଷ୍ଠ ଅଧିକାରୀମାନେ ନିଜ ବୃତିଗତ ଦକ୍ଷତାକୁ ବି ବାଜି ଲଗାଇବାକୁ ମଧ୍ୟ ପଛାଇନାହାନ୍ତି । ଏହାର ସଦ୍ୟତମ ଦୃଷ୍ଟାନ୍ତ ହେଉଛି କୁନ୍ଦୁଲି ମାମଲରେ ସରକାରୀ କାରନାମାର ପର୍ଦ୍ଦାଫାସ କରିଥିବା ଓଟିଭି ପ୍ରତିନିଧିଙ୍କୁ ଜେରା କରିବା ଘଟଣା ।
ନିଜ ଦୋଷ ଚପାଇବାକୁ ଯାଇ ରିପୋର୍ଟରଙ୍କୁ ଟାର୍ଗେଟ କରି ମାନସିକ ଆଘାତ ଦେଇ ମନବୋଳ ଭାଙ୍ଗିବାକୁ ଏବେ ଜୋରଦାର ଅଁଟା ଭିଡ଼ିଛି ଏହି ତଦନ୍ତକାରୀ ସଂସ୍ଥା । ଯାହା ଅତ୍ୟନ୍ତ ର୍ଦୁଭାଗ୍ୟର ବିଷୟ ବୋଲି ମତ ପ୍ରକାଶ ପାଇଛି ।
ଯେଉଁ ଫରେନ୍ସିକ ରିପୋର୍ଟକୁ ନେଇ କ୍ରାଇମବ୍ରାଁଚ ତଦନ୍ତ କରୁଛି ଉକ୍ତ ରିପୋର୍ଟ କେଉଁ ସୂତ୍ରରୁ ଗଣମାଧ୍ୟମକୁ ଆସିଲା ତାହାକୁ ତଦନ୍ତ ପରିସରଭୁକ୍ତ କରିବା ତାହା ନୀତିନିୟମର ବିରୋଧାଚରଣ କରୁଛି । ଫରେନ୍ସିକ ଲ୍ୟାବରୁୁ ରିପୋର୍ଟ କେମିତି ଗଣମାଧ୍ୟକୁ ଗଲା ତାହା ତଦନ୍ତ କରିବା କ୍ରାଇମବ୍ରାଁଚର ଦାୟିତ୍ୱ ନିଶ୍ଚୟ । କିନ୍ତୁ ଆଶ୍ଚର୍ଯ୍ୟର କଥା ନିଜ ଅଧିନସ୍ଥ ଫରେନ୍ସିକ ଲ୍ୟାବରେ ତଦନ୍ତ କରି କ୍ରାଇମବ୍ରାଁଚ ଭଳି ତଦନ୍ତକାରୀ ସଂସ୍ଥା ଯଦି ସିର୍ଦ୍ଧାନ୍ତରେ ପହଁଚିପାରିଲେ ନାହିଁ ତେବେ ତଦନ୍ତକାରୀ ଟିମର ଦକ୍ଷତା ଓ ପାରଦର୍ଶିତା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ଲ୍ୟାବରୁ ଯଦି ରିପୋର୍ଟ ବାହାରକୁ ଯାଇଛି ତେବେ ସେଠାରେ ତଦନ୍ତ କରି ଦୋଷୀକୁ ବାହାର କରିବା କ୍ରାଇମବ୍ରାଁଚର ଦାୟିତ୍ୱ ।
ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରି ଖବର ପ୍ରସାରଣ କରିବା ଗଣମାଧ୍ୟମର ଦାୟିତ୍ୱ । କିନ୍ତୁ ଗଣମାଧ୍ୟମର ସୂତ୍ର ଏବଂ ତଥ୍ୟ ଜାଣିବାକୁୁ ଓ ଏହାର କଣ୍ଠରୋଧ କରିବାକୁ କ୍ରାଇମବ୍ରାଁଚ କାହିଁକି ପ୍ରୟାସ କଲା ତାହା ବୁଝାପଡୁନାହିଁ । ହେଲେ ଚର୍ଚ୍ଚା ହେଉଥିବା କଥା ଯଦି ସତ ହୋଇଥାଏ, ତେବେ ଏହା ଅତି ସାଂଘାତିକ । ଚର୍ଚ୍ଚା ଏଇଆ ଯେ, ଓଟିଭି ଉପରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରି ସମସ୍ତ ପ୍ରକାର କଳବଳ କୌଶଳ ପ୍ରୟୋଗ କରିଥିବା ଶାସକ ଦଳ କ୍ରାଇମବ୍ରାଁଚକୁ ହାତବାରିସି କରିଛି । ଓଟିଭି ଓ ଏହାର ସାମ୍ବାଦିକଙ୍କ ମନୋବଳ ଭାଙ୍ଗିବାକୁ ପୂରା ଦମ ଲଗାଇ ଦେଇଛି । ଯାହାକୁ ସାମ୍ବାଦିକ ମହଲରେ ତ୍ରୀବ ନିନ୍ଦା କରାଯାଇଛି ।