ଭୁବନେଶ୍ୱର,୨୪ ।୨/(ବ୍ୟୁରୋ): ଅଭିମାନ କରି ଶୋଇଥିଲା ସ୍ତ୍ରୀ । ହେଲେ ସ୍ୱାମୀ ବୁଝେଇବ କଣ ଗାମୁଛା ଆଣି ମାଡିବସି ହତ୍ୟା କଲା । ରାଜଧାନୀରେ ଆଲୋଡନ ଖେଳାଇ ଦେଇଥିବା ଏଭଳି ଏକ ହତ୍ୟା କାଣ୍ଡ ଆଜି ଘଟିଛି ବାଲିଅନ୍ତା ଥାନା ଅଧିନ କାକରୁଦ୍ରପୁର ଗାଁରେ । ମୃତ ମହିଳାଙ୍କ ନାମ ମାମିନା ମଲ୍ଲୀକ (୨୫) ବୋଲି ଜଣାପଡିଛି । ସେହିପିର ହତ୍ୟାକାଣ୍ଡ ଭିଆଇ ସାରିବା ପରେ ସ୍ୱାମୀ ଛବି ମଲ୍ଲୀକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ଖବର ପାଇ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ଘଟମାସ୍ଥଳରେ ପହଞ୍ଚିବା ସହ ତନାଘନା ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାବକ, ଆଜିକୁ ୫ବର୍ଷ ତଳେ ମାମିନାଙ୍କୁ ଛବି ବୈଦିକ ରିତିରେ ବିବାହ କରିଥିଲେ । ଉଭୟଙ୍କର ଏକ ତିନି ବର୍ଷର ପୁଅ ମଧ୍ୟ ରହିଛି । ଛବି ତାଙ୍କ ଶଶୂର ଘରେ ତିନି ବର୍ଷ ହେଲା ରହି ଆସୁଥିବା ବେଳେ ରଙ୍ଗ ମିସ୍ତ୍ରୀ ଭାବରେ କାମ କରୁଥିଲେ । ଶୁକ୍ରବାର ସକାଳେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା ବୋଲି ମୃତ ମାମିନାଙ୍କର ମା ଆଶା ମଲ୍ଲୀକ କହିଛନ୍ତି । ସନ୍ଧ୍ୟାରେ ଛବି ଭୋଜି ଖାଇବାକୁ ଯାଇଥିବା ବେଳେ ମଧ୍ୟ ରାତ୍ରୀରେ ଘରକୁ ଫେରିଥିଲେ । ହଠାତ୍ ରୁମ ଭିତରେ ପଶିଯାଇ ସେ ଗାମୁଛାରେ ମାମିନାଙ୍କର ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ । ପରେ ବାହାରକୁ ଆସି ଶାଶୂ ଆଶାଙ୍କୁ ଏସମ୍ପର୍କରେ କହିଥିଲେ । ଆଶା ତାଙ୍କ ହାତକୁ ଧରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ସେ ଧକ୍କା ମାରି ଫେରାର୍ ହୋଇଯାଇଥିବା ସେ କହିଛନ୍ତି । ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।