ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଡି’ ଲିଙ୍କ ମାମଲାରେ ପୁଲିସ ଖୋଳତାଡ ଜାରି ରଖିଛି । କର୍ପୋରେଟରଙ୍କୁ ବାନ୍ଧିବା ପରେ ଏହି ଲିଙ୍କରେ ଥିବା ଅନ୍ୟ ବ୍ୟକ୍ତିବିଶେଷଙ୍କ ବାୟୋଡାଟା ଖୋଜୁଛି । ଏହି ଖୋଜାଖୋଜିରେ ଗୁରୁବାର ଆଉ ଜଣେ ସାର୍ପସୁଟରକୁ ହାତକଡ଼ା ପିନ୍ଧାଇଛି ପୁଲିସ । ତା’ ନାଁ ଆଶିଷ ବେହେରା ଓରଫ କାନଲି । ଆଶିଷ ଡି’ଲିଙ୍କରେ ସାର୍ପସୁଟର ତଥା ମାଷ୍ଟରମାଇଣ୍ଡ ଥିବା ଜଣାପଡିଛି । ତାକୁ ଧରିବା ଲାଗି ଢ଼େରଦିନ ହେବ ପୁଲିସ ଯୋଜନା ଚଳାଇଥିଲା ।
ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଥିଲା । ଗତକାଲି କଟକ ପାରାଦ୍ୱୀପ ରୋଡରେ ଥିବା ଗୋଲ୍ଡେନ ପାର୍କ ହୋଟେଲରୁ ଗିରଫ କରିଛି । ତା’ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି । ପୂରା ଡି’ଲିଙ୍କ କ୍ରିମିନାଲ ନେଟୱାର୍କକୁ ସେ ଅପରେଟ କରୁଥିଲା । ଟଙ୍କା ନେଇ ମୁଣ୍ଡ ଗଡାଉଥିଲା । ଖାସକରି ଟେଣ୍ଡର ଫିକ୍ସିଂ, ଦାଦାବଟି ଓ ବାଲିଘାଟ କଥା ସିଧାସଳଖ ବୁଝୁଥିଲା । ଏହି ମାମଲାରେ ସେ ପ୍ରଥମ କରି ପୁଲିସ ସ୍କାନରକୁ ଆସିଥିଲା ।
ସବୁଠୁ ବଡ଼ କଥା ହେଉଛି କଟକନଗର ଯୁବକ ସଂଘର ମୁଖ୍ୟ ସଦସ୍ୟ ଥିଲା ଆଶିଷ । ସୁଶାନ୍ତ ଧଳ ସାମନ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ଆଶିଷର ସୁରାକ ମିଳିଥିଲା । ପୂରା ଯୋଜନା ମୁତାବକ ପୁଲିସ ଅଚାନକ ଚଢ଼ାଉ କରି ତାକୁ ଗିରଫ କରିଥିଲା । ଏହାପୂର୍ବରୁ ସେ ଦିଲ୍ଲୀରେ ଆତ୍ମଗୋପନ କରି ରହିଥିବା ପୁଲିସ ସୂଚନା ଦେଇଛି ।