ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କିଏ ସେହି ସାମ୍ବାଦିକ? ପୁଣି କିଏ ସେହି ପୁଲିସ? ଯେଉଁମାନେ ରହୁଛନ୍ତି ପ୍ରଚ୍ଛଦ ପଟର ଖଳନାୟକ । ଉପରକୁ ଜନସାଧାରଣଙ୍କ ସେବା ଲାଗି ରହିଥିବା ଦେଖେଇ ହୋଇ ଭିତରେ କିନ୍ତୁ ଖେଳୁଛନ୍ତି ଅସଲ ଖେଳ । ମାନେ ସିଧା କହିବାକୁ ଗଲେ ବାର ମାଲିକଙ୍କ ସହ ହାତ ମିଳାଇ ଏସବୁ ନାଟ କରୁଛନ୍ତି । ଜଡିତ ରହୁଛନ୍ତି ବାର ମାଲିକଙ୍କ ଅନୈତିକ କାର୍ଯ୍ୟରେ ।
ଦି ଗ୍ଲାସ ମଦ ଆଉ କିଛି ଟଙ୍କା ନେଇ ନିଜକୁ ବିକ୍ରି କରିଛନ୍ତି । ଏଥିପାଇଁ ଏବେ ଅଧିକ ଉତ୍ପାତ ହେଉଛନ୍ତି ବାର ମାଲିକମାନେ । ହାତରେ ସାମ୍ବାଦିକ ଓ ପୁଲିସ ଥିବା କହି ଇନ୍ଦ୍୍ରଚନ୍ଦ୍ର ମାନୁନାହାନ୍ତି । ଖାସ ଏଥିପାଇଁ ତ’ ଏବେ ସେମାନେ ଭରା ପବ୍ଲିକରେ କାହାକୁ ହତ୍ୟା ଧମକ ଦେବାକୁ ବି ପଛାଉ ନାହାନ୍ତି । ଏକ ଦୈନିକ ଖବର କାଗଜର ସାମ୍ବାଦିକ ପ୍ରତାପ ପ୍ରଧାନଙ୍କୁ ରାସ୍ତାରେ ଅଟକାଇ ଧମକ ଦେବା ଘଟଣା ଏହାର ଆଖି ଦେଖା ପ୍ରମାଣ । ସେପଟେ ଆକ୍ରମଣ କରିବାକୁ ଆସିଥିବା ୨ଜଣ ଯୁବକଙ୍କ ମଧ୍ୟରୁ ଜଣଙ୍କ ପାଖରୁ ଏନେଇ ସମସ୍ତ ସୂଚନା ହସ୍ତଗତ ହୋଇଛି ।
କିଏ ଆଉ କାହିଁକି ଏପରି କରିବାକୁ କହିଥିଲେ ସେ ସମ୍ପର୍କରେ ସବୁ କିଛି ଓଗାଳିଛି ଆକ୍ରମଣ କରିବାକୁ ଆସିଥିବା ଯୁବକ ଜଣଙ୍କ । ତେବେ ଏହାରି ଭିତରେ ସେ ଏହା ମଧ୍ୟ ପ୍ରକାଶ କରିଛି ବାର ମାଲିକଙ୍କ ସହ କେଉଁ ସାମ୍ବାଦିକ ଓ ପୁଲିସ ସାଲିସରେ ଅଛନ୍ତିି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାର କିଛିଟା ପ୍ରମାଣ ଏଟିଆର ନ୍ୟୁଜ ହାତରେ ମଧ୍ୟ ଲାଗିଛି । ଯାହା ଖୁବ ଶୀଘ୍ର ସେମାନଙ୍କ ପୋଲ ଖୋଲିବ । ତେବେ ରାଜଧାନୀରେ ରହିଛି ଛତୁ ଫୁଟିଲା ପରି ଡ୍ୟାନ୍ସ ବାର । ଖାସ କରି କଟକ ରୋଡରେ ଥିବା ଡ୍ୟାନ୍ସ ବାରଗୁଡିକ ସରେଆମ ଆଇନକାନୁନର ଧଜିଆ ଉଡାଉଛନ୍ତି ।
ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୋଟେ ପାଲା ଚଲାଇବା ସହ ଯାବତୀୟ ଅଳିଆ କାର୍ଯ୍ୟ କରୁଛନ୍ତି । ଏକଥା ନୁହେଁ ଯେ, ଏନେଇ ପୁଲିସ କିଛି ଜାଣିନାହିଁ । ବରଂ ମାଲ ପକାଇ ପୁଲିସ କେବଳ ଅଭିନୟ କରୁଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ଅନୁସନ୍ଧାନରୁ ଜଣାପଡିଛି ଥାନାର କେତେକ ତଳିଆ କର୍ମଚାରୀ ଡ୍ୟାନ୍ସ ବାର ମାଲିକଙ୍କ ସହ ବେଶ ମଧୁ ସମ୍ପର୍କ ଯୋଡିଛନ୍ତି । ଯଦିବା କେତେବେଳେ ପୁଲିସ ସେଠାରେ ଚଢ଼ାଉ ଲାଗି ଯୋଜନା କରୁଛି ଠିକ ତା’ ପୂର୍ବରୁ ଖବର ପହଞ୍ଚିଯାଉଛି ଡ୍ୟାନ୍ସବାର ମାଲିକଙ୍କ ପାଖରେ । ତେଣୁ ପୁଲିସ ସେଠାରୁ ପଶୁପାଳ ହୋଇ ଫେରୁଛି ।
ଏହାବାଦ ମଝିରେ ମଝିରେ ଏଥିରେ ବି କେତେକ ସାମ୍ବାଦିକ ଜଡିତ ରହୁଛନ୍ତି । ନିଜର ଫାଇଦା ପାଇଁ ପୂର୍ବୋକ୍ତ ସୂଚନା ବାର ମାଲିକଙ୍କୁ ଦେଇ ସୁନାପୁଅ ପାଲଟୁଛନ୍ତି । ସେପଟେ ପୁଲିସ ରେକର୍ଡ କହୁଛି ଡ୍ୟାନ୍ସବାର ଲାଗି ଅନେକ ସମୟରେ ଅଘଟଣ ଘଟିଛି । କେଉଁଠି ବନ୍ଧୁକ ଗର୍ଜିଛି ତ’ ଆଉ କେଉଁଠି ଫୁଟିଛି ବୋମା । ବାରମାଲିକ ଭଡ଼ାଟିଆ ଗୁଣ୍ଡା(ବାଉନ୍ସର)ରଖି ଏଭଳି ବେଆଇନ କାର୍ଯ୍ୟ କରୁଛନ୍ତି । ତେଣୁ ଆଶା କରିବୁ ନୂଆ କରି ଦାୟିତ୍ୱ ନେଇଥିବା ପୁଲିସ କମିଶନର ଘଟଣା ଉପରେ ଗୁରୁତ୍ୱ ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।